ପ୍ରାୟଶ୍ଚିତ ପାଇଁ ଶ୍ରୀକ୍ଷେତ୍ରକୁ ଆସିଲେ କଂସ: ମହୋଦଧୀରେ ସ୍ନାନ କରି ପାପ ଧୋଇଲେ

155

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ବରଗଡର ଧନୁଯାତ୍ରା ଉତ୍ସବ ଶେଷ ହୋଇଛି । ବରଗଡରେ କଂସଙ୍କ ରାଜୁତି ଶେଷ ହେବା ପରେ ପ୍ରାୟଶ୍ଚିତ କରିବାକୁ ପୁରୀ ଆସିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ।

ମୁକ୍ତାକାଶ ରଙ୍ଗ ମଂଚରେ ଅଭିନୟ ବେଳେ ଭଗବାନ ଓ ଦେବାଦେବୀଙ୍କୁ ଅନେକ କଟୁ କଥା କହିଥିବାରୁ ସେ ପ୍ରାୟଶ୍ଚିତ କରିବାକୁ ପୁରୀ ପହଂଚିଛନ୍ତି । ପ୍ରଥମେ ସେ ମହୋଦଧୀରେ ସ୍ନାନ କରି ପିନ୍ଧିଥିବା ପଇତାକୁ ବିସର୍ଜନ କରିଛନ୍ତି । ଏହାପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଜଳ ତର୍ପଣ କରି କ୍ଷମା ମାଗିଥିଲେ । ଧନୁଯାତ୍ରା ସରିବା ପରେ ଏକ ସାଧାରଣ ମଣିଷ ଭାବେ ସେ ଅଭିନୟ ବେଳେ କରିଥିବା ଭୁଲ ପାଇଁ ମହାପ୍ରଭୁଙ୍କୁ କ୍ଷମା ମାଗିଛନ୍ତି ।

ମହୋଦଧୀରେ୍ ସ୍ନାନ କରି ସିଧା ଗୋବର୍ଦ୍ଧନ ପୀଠ ପହଂଚିଥିଲେ ହୃଷିକେଶ ଭୋଇ । ମଂଚରେ ଅଭିନୟ କଲା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ କଟୁ କଥା କହି ପାପର ଭାଗିଦାର ହୋଇଥିବା ଜଗତଗୁରୁ ଶଙ୍କରଚାର୍ଯ୍ୟଙ୍କୁ କ୍ଷମା ମାଗିଥିଲେ । ଶଙ୍କରାଚାର୍ଯ୍ୟ ତାଙ୍କୁ ମାଳ ପକାଇ ଆଶିର୍ବାଦ ଦେବା ସହ ଧର୍ମ ରକ୍ଷା ପାଇଁ କାମ କରିବାକୁ ଉପଦେଶ ଦେଇଛନ୍ତି । କେମିତି ଅଭିନୟ କରୁଥିଲେ କହିବାରୁ ତାଙ୍କ ଆଗରେ ମହାରାଜ କଂସଙ୍କ କିଛି ସଂଳାପ ଦୋହରାଇଥିଲେ ହୃଷିକେଶ ।

ପୁରୀ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରଚାର୍ଯ୍ୟଙ୍କୁ କ୍ଷମା ମାଗିବା ପରେ ବଡ ଦାଣ୍ଡରେ ପହଂଚିଥିଲେ ହୃଷିକେଶ ଭୋଇ । ସେଠାରେ ସାଷ୍ଟାଙ୍ଗ ପ୍ରଣାମ କରି କଟୁ କଥା କହିଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ମାଗିଥିଲେ । ବଡଦେଉଳ ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ଆର୍ଶିର୍ବାଦ ନେଇଥିଲେ । ଏଣିକି ସାଧାରଣ ଜୀବନ ଯାପନ ଓ କୃଷ୍ଣଙ୍କ ଆରାଧନା ହିଁ ଏକମାତ୍ର ଲକ୍ଷ୍ୟ ବୋଲି ହୃଷିକେଶ କହିଛନ୍ତି ।

ବରଗଡ ଧନୁଯାତ୍ରାରେ ତିନି ତିନ ଥର କଂସ ଭୂମିକାରେ ଅଭିନୟ କରିବାର ସୌଭାଗ୍ୟ ପାଇଛନ୍ତି ହୃଷିକେଶ ଭୋଇ । ଏହା କେବଳ ଶ୍ରୀକୃଷ୍ଣଙ୍କ ଆଶିର୍ବାଦରୁ ସମ୍ଭବ ବୋଲି ସେ କହିଛନ୍ତି ।