କାୟା ବଢାଉଛି ଓମିକ୍ରନ ଭୂତାଣୁ : ମହାରାଷ୍ଟ୍ରରେ ୨ ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୩

93

କନକ ବ୍ୟୁରୋ : ଦେଶରେ ଏବେ କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ମହାରାଷ୍ଟ୍ର ସରକାର ଏହା ଉପରେ ପୁଣି କଟକଣା ଲଗାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ କରୋନାର ପୂର୍ବ ଲହର ପରି ଚଳିତ ଲହରରେ ବି ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିବା ଭଳି ଅନୁମାନ କରାଯାଉଛି ।

ଗତକାଲି ମହାରାଷ୍ଟ୍ରରେ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୩୭ ବର୍ଷ ବୟସ୍କ ଯୁବକ ଏବଂ ଆମେରିକାରୁ ଫେରିଥିବା ତାଙ୍କ ୩୬ ବର୍ଷୀୟ ବନ୍ଧୁଙ୍କ ଠାରେ ଓମିକ୍ରନ ଭୂତାଣୁ ଠାବ ହୋଇଛି । ଦୁଇ ସଂକ୍ରମିତଙ୍କ ଠାରେ କରୋନାରେ କୌଣସି ଲକ୍ଷଣ ଦେଖା ଦେଇ ନାହିଁ । ତାଙ୍କୁ ମୁମ୍ବାଇର ସେଭେନ ହିଲସ ହସ୍ପିଟାଲରେ ଭର୍ତି କରାଯାଇଛି ।

ଏହାକୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୧୦ ଓ ଦେଶର ମୋଟ ମାମଲା ୨୩ରେ ପହଂଚିଛି । ରବିବାର ରାଜସ୍ଥାନରୁ ୯ ଜଣ, ମହାରାଷ୍ଟ୍ରରୁ ୭ ଓ ଦିଲ୍ଲୀରୁ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗୋଟିଏ ଦିନରେ ୧୭ ଆକ୍ରାନ୍ତ ଚିହ୍ନଟ ପରେ ଦ୍ରୁତ ସଂକ୍ରମଣର ଭୟ ଦେଖା ଦେଇଛି । ଅନ୍ୟପଟେ ବିଦେଶରୁ ଫେରିଥିବା ବହୁ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବାରୁ ଓମିକ୍ରନ ମାମଲା ଆହୁରି ବଢିବା ଆଶଙ୍କା ରହିଛି ।