ଓମିକ୍ରନ : କାହାକୁ ବେଶୀ ବିପଦ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକଙ୍କ ସତର୍କବାଣୀ

1,495

କନକ ବ୍ୟୁରୋ : ଡେଲଟା ପ୍ରଜାତି ଠାରୁ ଓମିକ୍ରନ ୩ ଗୁଣ ଅଧିକ ସଂକ୍ରାମକ । ପିଲା ଓ ଟିକା ନେଇ ନଥିବା ବ୍ୟକ୍ତିଙ୍କ ପାଇଁ ଓମିକ୍ରନ ଭୂତାଣୁ ଅଧିକ ବିପଦ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ । ସେ କହିଛନ୍ତି ଅଳ୍ପ କିଛି ଦେଶରେ ପିଲାମାନଙ୍କୁ କରୋନା ଟିକା ଦିଆଯାଉଛି । ତେଣୁ ପିଲାମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଓମିକ୍ରନକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡାକ୍ତର ସୌମ୍ୟା ସ୍ୱାମୀନାଥନ । ପ୍ରଥମ ସଂକ୍ରମଣର ୯୦ ଦିନ ପରେ ପୁଣି ଥରେ ସଂକ୍ରମଣ ଆଶଙ୍କା ରହିଛି ।

ଦକ୍ଷିଣ ଆଫ୍ରିକାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପ୍ରଜାତିରେ ଅଧିକ ପିଲା ସଂକ୍ରମିତ ହେଉଥିବା ଜଣାପଡିଛି । ତେବେ ନୂଆ ମାମଲା ତୁଳନାରେ କମ୍ ସଂଖ୍ୟକ ରୋଗୀ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ହେଲେ କରୋନାର ନୂଆ ପ୍ରଜାତି କେତେ ଘାତକ ହେବ, ତାହା ଆଉ ୨, ୩ ସପ୍ତାହ ପରେ ଜଣାପଡିଯିବ ବୋଲି କହିଛନ୍ତି ଡାକ୍ତର ସୌମ୍ୟା ସ୍ୱାମୀନାଥନ । ପିଲାମାନଙ୍କ ଟିକାକରଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ୨୫ ଟି ଦେଶରେ ଟିକାକରଣ କ୍ଷେତ୍ରରେ ବହୁତ ପଛରେ ପଡ଼ି ଯାଇଥିବା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ।