ପାରାଦୀପ ବିଜେଡିରେ ଝଡ: ଦେବାଶିଷ୍ ସାମନ୍ତରାୟ ଓ ସମ୍ବିତ ରାଉତରାୟ ମୁହାଁମୁହିଁ

143

କନକ ବ୍ୟୁରୋ: ଶ୍ରମିକ ଦିବସରେ ବରିଷ୍ଠ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଏକ ମନ୍ତବ୍ୟ ପାରାଦୀପ ରାଜନୀତିରେ ଝଡ ସୃଷ୍ଟି କରିଛି । କେବଳ ପାରାଦୀପ ନୁହେଁ ବିଜେଡି ରାଜନୀତିରେ ବି ଚର୍ଚ୍ଚା ସୃଷ୍ଟି କରିଛି । ଦାମଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଥିବା ଦେବାଶିଷ ଏଥର ପୁଅ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିଥିଲେ । ଆଉ ସମ୍ବିତ ବି ଚୁପ ବସିନାହାନ୍ତି ।

ପାରାଦ୍ୱୀପ ରାଜନୀତି ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ଥାଏା କେତେବେଳେ ଦାମ ବନାମ ବିଷ୍ଣୁ ଦାସ ତ ଆଉ କେତେବେଳେ ଦାମ ବନାମ ଦେବାଶିଷ । କିନ୍ତୁ ଏବେ ଦାମଙ୍କ ପରେ ପାରାଦ୍ୱୀପ ଗଡ ସମ୍ଭାଳିଥିବା ପୁଅ ସମ୍ବିତ ରାଉତରାୟ ବନାମ ଦେବାଶିଷ ସାମନ୍ତରାୟ । ଗତ ମେ ୧ରେ ଅନୁଷ୍ଠିତ ଏକ ସଭାରେ ସମ୍ବିତ ରାଉତଙ୍କୁ କଟାକ୍ଷ କରିଛନ୍ତି ଦେବାଶିଷ । ଆଉ କହିଥିଲେ ପ୍ରଭୁ ଜଗନ୍ନାଥ, ମା ସାରଳା ଚାହିଁଲେ ସେ ଏଠାରୁ ପ୍ରତିନିଧିତ୍ୱ କରି ଲୋକଙ୍କ କଥା ବୁଝିପାରିବେ । ଆଉ ବିଧାୟକ ଲୋକଙ୍କୁ ଚିହ୍ନି ପାରିନାହାନ୍ତି କହି ସମ୍ବିତକୁ ମାରିଥିଲେ ବାଣ ।

ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ କଡା ଜବାବ ଦେଇଛନ୍ତି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତ ରାୟ । କହିଛନ୍ତି, ସ୍ୱପ୍ନ ଦେଖିବା ମନା ନାହିଁ । କିନ୍ତୁ ଦିବା ସ୍ୱପ୍ନ ଦେଖିବା ଭାରି ଭୟଙ୍କର । ଯଦି ଲୋକ ଚିହ୍ନି ନାହାନ୍ତି ତାହେଲେ ୨୧ ହଜାର ଭୋଟରେ ଜିତିଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି ।

ସାଧାରଣତଃ ଅନ୍ୟ ଦଳ ଭଳି ବିଜେଡିରେ କେବେ ନେତା-ନେତା ମଧ୍ୟରେ କନ୍ଦଳ ଗଣମାଧ୍ୟମ ସାମ୍ନାକୁ ଆସେନି । କାରଣ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତି ନିଅନ୍ତି ତାହା ଏଠାରେ ସର୍ବମାନ୍ୟ । ଏବେ କିନ୍ତୁ ବାରବାଟୀ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି ।

୨୦୨୪ ନିର୍ବାଚନ ବେଳକୁ ଦେବାଶିଷ ପାରାଦ୍ୱୀପରେ ନିର୍ବାଚନ ଲଢିବା ନେଇ ଇଚ୍ଛା ପ୍ରକାଶ କରିବା ପରେ ଏଠାରେ ବିଜେଡି ଏବଂ ବିଜେଡି ମଧ୍ୟରେ ପତିଆରା ଲଢେଇ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଦଳ ଏହି ମାମଲାରେ କଣ ଆଭିମୁଖ୍ୟ ଗ୍ରହଣ କରୁଛି ତା ଉପରେ ନଜର ରହିବ ।