ଅଚାନକ ମାଡି ଆସିଥିଲା କାଳବୈଶାଖୀ,ପାଣି ପଶିଯିବାରୁ ଓଲଟି ପଡିଥିଲା ଡଙ୍ଗା । ଜୀବନ ବଞ୍ଚାଇ ଦେଲା ଲାଇଫ୍ ଜ୍ୟାକେଟ ।

184

କନକ ବ୍ୟୁରୋ: କାଳିଜାଇରୁ ଫେରିବା ବେଳେ ଚିଲିକା ଡଙ୍ଗାବୁଡି ଘଟଣାରେ ଉଦ୍ଧାର ହୋଇଥିବା ଯାତ୍ରୀ ସେହି ସମୟର ଛାତିଥରା ଅନୁଭୂତି ବୟାନ କରିଛନ୍ତି । ଚିଲିକା ଭିତରେ ଅଚାନକ କାଳବୈଶାଖୀ ସତେ ଯେମିତି କାଳ ହୋଇ ସେମାନଙ୍କ ଆଗକୁ ଚାଲିଆସିଲା । ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଡଙ୍ଗା ଏମିତି ଦୋହଲୁ ଥାଏ, ଯେମିତି ଏବେ ହିଁ ବୁଡିଯିବ । ଆଉ ସତକୁ ସତ ଧିରେ ଧିରେ ଡଙ୍ଗା ବୁଡିବାକୁ ଲାଗିଲା । ସମସ୍ତେ କେବଳ ଚିକ୍ରାର କରୁଥାନ୍ତି, ଆଉ ଭଗବାନଙ୍କୁ ଡାକୁଥାନ୍ତି । କିନ୍ତୁ ତାଙ୍କ ପାଖରେ ସବୁଠାରୁ ବଡ ଅସ୍ତ୍ର ଥିଲା, ତାହା ହେଉଛି ଲାଇଫଜ୍ୟାକେଟ । ଆଉ ସେହି ଲାଇଫଜ୍ୟାକେଟ ହିଁ ତାଙ୍କ ଲାଇଫ ବଞ୍ଚାଇଦେଲା ।

ସମୟ – ପ୍ରାୟ ସାଢ଼େ ୪ଟା

ସ୍ଥାନ- ଚଢ଼େଇଗୁହା ପାହାଡ , ଚିଲିକା

ଚିଲିକାରେ କାଳିଯାଇ ଦର୍ଶନ କରି ଫେରୁଥିଲେ ଡଙ୍ଗାରେ ଯାଇଥିବା ୧୧ ଜଣ ପର୍ଯ୍ୟଟକ । ଚିଲିକାର ନୀଳ ଜଳରାଶିରେ ପାଣି ସୁଅକୁ କାଟି କାଟି ଆଗକୁ ବଢ଼ୁଥିଲା ଡଙ୍ଗା । ହସଖୁସିରେ ଫେରୁଥିଲେ ଡଙ୍ଗାରେ ଥିବା ସମସ୍ତେ । ଏହି ସମୟରେ ଅଚାନକ ମାଡି ଆସିଥିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଚିଲିକା ଭିତରେ ପ୍ରବଳ ବର୍ଷା ଓ ପବନରେ ଦୋହଲି ଉଠିଥିଲା ଡଙ୍ଗା । ଡଙ୍ଗା ଭିତରେ ପାଣି ପଶି ଯାଇଥିଲା । ପାଣି ପଶିଯିବାରୁ ଓ ପ୍ରବଳ ପବନ ଯୋଗୁଁ ଅଥଳ ପାଣି ଭିତରେ ଓଲଟି ପଡିଥିଲା ଡଙ୍ଗା ।

  • ବଞ୍ଚାଇ ଦେଲା ଲାଇଫ ଜ୍ୟାକେଟ୍
  • ଅଳ୍ପକେ ବର୍ତ୍ତିଗଲେ ୧୧ ଜଣ ପର୍ଯ୍ୟଟକ

ସୌଭାଗ୍ୟବଶତଃ ସସସ୍ତ ପର୍ଯ୍ୟଟକ ଲାଇଫ ଜ୍ୟାକେଟ ପିନ୍ଧିଥିବାରୁ ଡଙ୍ଗା ବୁଡିଯିବା ପରେ ବି ଅଥଳ ପାଣିରେ ଭାସିଥିଲେ । କିଛି ସମୟ ଭାସିବା ପରେ ଖବର ପାଇଁ ଅନ୍ୟ ଡଙ୍ଗା ଓ ଉଦ୍ଧାରକାରୀ ଦଳ ପହଁଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପାଣି ଭିତରେ ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ପର୍ଯ୍ୟଟକ ମାନେ କହିଛନ୍ତି, ସେ ଦିନର ଅଙ୍ଗେନିଭା ଘଟଣା । ଦୁର୍ଭାଗ୍ୟର ବିଷୟ ହେଉଛି ଡଙ୍ଗାରେ ଥିବା ୧୧ ଜଣ ବଞ୍ଚିଯାଇଥିଲେ ବି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସ୍ଥାନୀୟ ଲୋକ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସର ଦୀର୍ଘ ସମୟର କସରତ ପରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଜଣଙ୍କର ପତ୍ତା ମିଳିନଥଲା । ଶେଷରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।