୪ରେ ପରେ ପୁଣି ଘୂର୍ଣ୍ଣିବଳୟ ! ପ୍ରବଳ ବର୍ଷା ସମ୍ଭାବନା

44

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ସତର୍କବାଣୀ । ଆଗାମୀ ୪ ତାରିଖ ପର୍ଯ୍ୟନ୍ତ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । କିନ୍ତୁ ବର୍ଷା ହେବା ସମୟରେ ବଜ୍ରପାତ ଆଶଙ୍କା ଅଧିକ । ଏହାକୁ ଭିତ୍ତିକରି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୧୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଏ ସମସ୍ତ ଜିଲ୍ଲାର ଲୋକେ କଳାମେଘ ଘୋଟି ବର୍ଷା ଉଠାଇବା କ୍ଷଣି ଖୋଲା ସ୍ଥାନ ଛାଡ଼ି ତୁରନ୍ତ ନିରାପଦ ସ୍ଥାନକୁ ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦ୍ରାପଡ଼ା, କଟକ, ବୌଦ୍ଧ ଏବଂ ଯାଜପୁର ।

ସୂଚନା ମୁତବାକ, ଆସନ୍ତା ୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୪ ଏବଂ ୫ ତାରିଖ ଦୁଇ ଦିନ ଧରି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସ୍ଥାନମାନଙ୍କରେ ବି ବର୍ଷା ହେବ ବୋଲି ସୂଚନା ମିଳିଛି । ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ କି ନାହିଁ ସେ ନେଇ ରୂପରେଖ ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇସାରିଥିବା କୁହାଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆଠଗଡ଼ରେ ସର୍ବାଧିକ ୧୨୦ ମିଲିମିଟର ବର୍ଷା ହୋଇଥିଲା । ଏହା ପଛକୁ କନ୍ଧମାଳର କୋଟାଗଡ଼, ଦାନଗଦୀ, ଦେବଗଡ଼ର ରିଆମାଳରେ ୬୦ ମି.ମି., ବଲାଙ୍ଗୀରର ବେଲଗାଁ, ବରଗଡ଼ର ଅମ୍ବାଭୋନା, କଣିହା, କଳାହାଣ୍ଡିର ଜୟପାଟଣା, ବଲାଙ୍ଗୀର, ବେତନଟୀ, ଭଟଲିରେ ୫୦ ମି.ମି., ବରଗଡ଼ର ପାଇକମାଳ, ନବରଙ୍ଗପୁର, ବଅଁରପାଳ, କନ୍ଧମାଳର ଫିରିଙ୍ଗିଆ, ରାୟଗଡ଼ାର ଗୁଡ଼ାରୀରେ ୪୦ ମି.ମି., ସୁକିନ୍ଦା, ସମ୍ବଲପୁରର ବାଟଗାଁ, ଭୁବନେଶ୍ୱର, ବିନିକା, ନାକଟିଦେଉଳ, ଖଇରମାଳ, ଫୁଲବାଣୀ, କଙ୍କଡ଼ାହାଡ଼, ପୁରୁଷୋତ୍ତମପୁର, ଖପ୍ରାଖୋଲ, ଆସ୍କାରେ ୩୦ ମି.ମି. ବର୍ଷା ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ସର୍ବାଧିକ ୩୮ ମି.ମି. ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୨୯ ମି.ମି., ସୋନପୁର ଏବଂ ଅନୁଗୁଳରେ ୨୨ ମି.ମି., ସୁନ୍ଦରଗଡ଼ରେ ୧୪ ମି.ମି., ବଲାଙ୍ଗୀରରେ ୮ ମି.ମି. ବର୍ଷା ହୋଇଛି ।