ଆଜି ମେକଇନ୍ ଓଡିଶା କନକ୍ଲେଭର ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ଲେନାରୀ ସେସନରେ ଯୋଗଦେବେ ୨୫ରୁ ଅଧିକ ବଡ ଶିଳ୍ପପତି । ଓଡ଼ିଶାରେ ପ୍ରକଳ୍ପ ନେଇ କରିପାରନ୍ତି ଘୋଷଣା

ସାମିଲ ହେବେ ମୁକେଶ ଅମ୍ବାନୀ

130

କନକ ବ୍ୟୁରୋ: ଆରମ୍ଭ ହୋଇଛି ମେକ୍ଇନ ଓଡିଶା କନକ୍ଲେଭର ଦିତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଏଥର ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଆଜି ଅନୁଷ୍ଠିତ ହେବାକୁ ଥିବା ପ୍ଲେନାରୀ ସେସନରେ ଦେଶର ୨୫ଜଣ ବଡ ଶିଳ୍ପପତି ଯୋଗଦେବେ । ଏଥିରେ ବକ୍ତା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ଉଦବୋଧନ ଦେବେ । ଏମାନଙ୍କ ବ୍ୟତୀତ ଏହି ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ , ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେବେ ।

ଜନତା ମଇଦାନରେ ଆୟୋଜିତ ଏହି ୫ ଦିନିଆ କନକ୍ଲେଭରେ ବିଶେଷ କରି ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଜିଂନିବେଶ ହେବାର ଆଶା କରାଯାଇଛି । ଯାହାକି ବହୁ ପରିମାଣରେ କର୍ମ ନିଯୁକ୍ତି ହେବାର ସଂଭାବନା ଅଛି । କେବଳ ପୁଂଜିନିବଶେ ନୁହେଁ ଓଡିଶାକୁ ଦେଶ ବିଦେଶରେ ଏକ ନୁତନ ପରିଚୟ ଦେବାକୁ ଏଭଳି ଏକ କନକ୍ଲେଭର ଆୟୋଜନ କରାଯାଇଛି । ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜନେସ୍ ଲିଡରସିପ ସମିଟ୍, ଷ୍ଟାର୍ଟଅପ ଟକ, ଟେକ୍ ଟକ, ସିଏସ୍ଆର ଆୱାର୍ଡ ଆଦି ଅନୁଷ୍ଟିତ ହେବ । ଏହି କାର୍ଯ୍ୟ୍ରକ୍ରମରେ ଦେଶର ବହୁ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେବା ସହିତ ରାଜ୍ୟରେ ଥିବା ଶିଳ୍ପପତିମାନେ ଏହି କନକ୍ଲେଭକୁ ପ୍ରଶଂସା କରିଛନ୍ତି ।

ଅନ୍ୟପକ୍ଷରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରିବେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅଂମ୍ବାନୀ । ଆଜି ଶ୍ରୀକ୍ଷେତ୍ର ଆସି ଅମ୍ବାନୀ ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏହି ଅବସରରେ ସେ ନିଜ ଝିଅର ବାହାଘର ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କୁ ଦେବେ ବୋଲି ସୂଚନା ମିଳିଛି । ତେବେ ଅମ୍ବାନୀ ଭିତର କାଠ ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ ଗର୍ଭଗୃହକୁ ଯିବେନାହିଁ ।

ଆଜି ପୂର୍ବାହ୍ନରେ ମୁକେଶ ଅମ୍ବାନୀ ଭୁବନେଶ୍ୱରରେ ମେକ ଇନ ଓଡିଶା କନକ୍ଲେଭ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ପୁରୀ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ମୁକେଶ ଅମ୍ବାନୀଙ୍କୁ ଆତିଥ୍ୟ ଦେବା ପାଇଁ ମନ୍ଦିର ପ୍ରଶାସନ ସବୁ ପ୍ରକାର ବନ୍ଦୋବସ୍ତ ହୋଇସାରିଛି । ଅନ୍ୟପଟେ ତାଙ୍କ ଗସ୍ତକୁ ନେଇ ରିଲାଏନ୍ସ କଂପାନୀ ପକ୍ଷରୁ ପୁଲିସକୁ ସୁରକ୍ଷା ମଗାଯାଇଛି । ସେହିପରି ଅମ୍ବାନୀଙ୍କ ଠାକୁର ଦର୍ଶନ କିପରି ଶୃଙ୍ଖଳିତ ହେବ ସେ ନେଇ ମନ୍ଦିର ପ୍ରଶାସନ ସହ ପୁରୀ ଜିଲ୍ଲାପାଳ ମଧ୍ୟ ଆଲୋଚନା କରିଛନ୍ତି ।