ଆଜି ମାଣ୍ଡିଆ ଦିବସ। ଚାଷ ଉପରେ ଗୁରୁତ୍ୱ ଦିଆଯାଇ ବାହାରିଛି ମାସ୍କଟ ‘ମିଲି’

158

କନକ ବ୍ୟୁରୋ: ମିଲେଟ ମିଶନ । ପଲ୍ଲୀର ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ଏହି ସୁପର ଫୁଡକୁ ସାଧାରଣ ଜନତା ଓ ଦେଶ ବିଦେଶରେ ପହଞ୍ଚାବାକୁ ଲକ୍ଷ୍ୟ ରଖି ସାରା ରାଜ୍ୟ ପାଳିଛି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହି ଦିବସ ପାଳନ କରୁଛି । ଖାଲି ସେତିକି ନୁହେଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରାଯିବ । ଅର୍ଥାତ୍ ଚାଉଳ ଓ ଗହମ ଭଳି ରାସନ ନେଲାବେଳେ ସାଧାରଣ ଲୋକଙ୍କୁ ମାଣ୍ଡିଆ ଦିଆଯିବ । ସେହିପରି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ମଧ୍ୟ ମାଣ୍ଡିଆ ସାମିଲ କରାଯିବ ।

ଚାଷୀଙ୍କ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଆରମ୍ଭ ହୋଇଛି ମିଲେଟ ମିଶନ । ଆଗାମୀ ୫ ବର୍ଷରେ ୨୮୦୮ କୋଟି ଖର୍ଚ୍ଚ କରିବାକୁ ନିଷ୍ପତି ହୋଇଛି । ଏବେ ୧୯ଟି ଜିଲ୍ଲାରେ ମିଲେଟ ମିଶନ ଆରମ୍ଭ ହୋଇଥିବା ବେଳେ ସବୁ ଜିଲ୍ଲାରେ ଏହି ମିଲେଟ ମିଶନ କାର୍ଯ୍ୟକାରୀ କରାଯିବ । ୨୦୧୭-୧୮ରେ ଆରମ୍ଭ ହୋଇଥିଲା ମିଲେଟ ମିଶନ । ଚାଷ ପାଇଁ କମ୍ ପାଣି , ଖାଦ୍ୟ ଓ ସାର ଆବଶ୍ୟକତା ରହିଛି । ପାର୍ବତ୍ୟ ଅଞ୍ଚଳରେ ଏହା ବେଶ ସୁହାଇବ । ଭରପୁର ପୋଷକତତ୍ୱ ରହିଛି ମାଣ୍ଡିଆରେ । ଏବେ ୧୭୭ବ୍ଳକରେ ମାଣ୍ଡିଆ ଚାଷ କରାଯାଉଛି ।

ସେପଟେ ଚାଷୀଙ୍କ ପାଇଁ ଏକ ବଡ଼ ସମ୍ଭାବନା ଆଣିଛି ମାଣ୍ଡିଆ । ମାଣ୍ଡିଆର ବିଭିନ୍ନ ଦ୍ରବ୍ୟ ପ୍ରତି ଲୋକଙ୍କ ଆଗ୍ରହ ବି ବଢ଼ୁଛି । ମାଣ୍ଡିଆ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ପୂର୍ବରୁ ହେକ୍ଟର ପିଛା ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳୁଥିଲା । ଏବେ ଏହି ରାଶିକୁ ହେକ୍ଟର ପିଛା ୨୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି ।