ସରକାରୀ ଚାକିରି କରିବ ବୋଲି ବାପା, ମା, ଜେଜେମା’ଙ୍କୁ ହତ୍ୟା କଲା ଯୁବକ । ସାନିଟାଇଜର ଓ କାଠରେ ପୋଡିଦେଲା ମୃତଦେହ

577

କନକ ବ୍ୟୁରୋ: ଅନୁକମ୍ପା ନିଯୁକ୍ତ ଆଧାରରେ ସରକାରୀ ଚାକିରି କରିବ ବୋଲି ବାପା, ମା’ଙ୍କ ସହ ଜେଜେମା’ଙ୍କୁ ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ ।

ପୁଲିସର ସୂଚନା ମୁତାବକ, ପ୍ରଭାତ ଭୋଇ ଓ ତାଙ୍କ ପତ୍ନୀ ସୁଲୋଚନା ଭୋଇ ଦୁଇଜଣ ଶିକ୍ଷକ ଶିକ୍ଷୟିତ୍ରୀ । ସେମାନଙ୍କର ଦୁଇ ପୁଅ । ବଡ ପୁଅ ଉଦିତ ତାଙ୍କ ସହ ରହୁଥିବାବେଳେ ସାନ ପୁଅ ରାୟପୁରରେ ଡାକ୍ତରୀ ପଢୁଛି । ବଡ ପୁଅ ଉଦିତ ନିଶାସକ୍ତ ତେଣୁ ଅନେକ ସମୟରେ ନିଶା ସେବନ କରି ଆସି ଘରେ ପାଟିତୁଣ୍ଡ କରେ । ଅନୁକମ୍ପା ଆଧାରର ସରକାରୀ ଚାକିରି ପାଇବାକୁ ମନରେ ଯୋଜନା କଲା । ଏହାକୁ ନେଇ ବାପାଙ୍କ ସହ ତା’ର ପାଟିତୁଣ୍ଡ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଚାହିଁଲା ଉଦିତ ।

ମେ ୭ ତାରିିଖ ରାତିରେ ସମସ୍ତେ ଶୋଇଥିବାବେଳେ ପ୍ରଥମେ ହକି ଷ୍ଟିକରେ ବାପାଙ୍କ ମୁଣ୍ଡକୁ ମାଡ ମାରିଥିଲା । ଏହାପରେ ମା ସୁଲୋଚନାଙ୍କୁ ମଧ୍ୟ ସେହି ସମାନ ଢଙ୍ଗରେ ହକିିଷ୍ଟିକ୍ରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାପା , ମା ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା । ପାଟି ଶୁଣି ଜେଜେମା ଆସିବାରୁ ତାଙ୍କୁ ମଧ୍ୟ ଛାଡିନଥିଲା ଉଦିତ । ତାଙ୍କ ମୁଣ୍ଡକୁ ମଧ୍ୟ ପିଟିପିଟି ତାଙ୍କୁ ମାରିଦେଇଥିଲା । । ୩ଜଣଙ୍କ ମୃତଦେହକୁ ନେଇ ପ୍ରଥମେ ବାଥରୁମରେ ରଖିବା ପରେ କାଠ ଓ ସାନିଟାଇଜର ପକାଇ ୩ ମୃତଦେହକୁ ବାଡିପଟେ ପୋଡିଦେଇଥିଲା ।

ଏହାପରେ ମେ ୧୨ ତାରିଖରେ ବାପା, ମା’ଙ୍କ ନିଖୋଜ ରିପୋର୍ଟ ପୁଲିସରେ ଲେଖାଇଥିଲା । ନିଖୋଜ ଖବର ପାଇଥିଲା ସାନ ପୁଅ ଅମିତ । ତୁରନ୍ତ ରାୟପୁରରୁ ଆସି ଘରେ ପହଞ୍ଚିଥିଲା, ହେଲେ ତାଲା ଝୁଲୁଥିବାର ଦେଖି ବାଡି ପଛପଟେ ପାଚେରୀ ଡେଇଁ ଘର ଭିତରକୁ ଆସିଥିଲା । ବାଡିପଟେ କିଛି ପୋଡାଯାଇଥିବା ଦେଖିବାକୁ ପାଇଥିବା ସହ କିଛି ହାଡ ପଡିଥିବା ମଧ୍ୟ ଦେଖିଥିଲା ଅମିତ । ଘର ଭିରତକୁ ଯିବାରୁ ଚଟାଣରେ ରକ୍ତ ଛିଟା ପଡିଥିବାର ମଧ୍ୟ ଲକ୍ଷ୍ୟ କରିଥିଲା । ମନରେ ସନ୍ଦେହ ହେବାରୁ ତୁରନ୍ତ ଯାଇ ପୁଲିସରେ ଅଭିଯୋଗ କରିଥିଲା । ଫଳରେ ପୁଲିସର ସନ୍ଦେହ ମଧ୍ୟ ଘନେଇଥିଲା । ପୁଲିସ ଆସି ଘରର ତଲାସି କରିବା ବେଳକୁ ସମାନ ଜିନିଷ ଦେଖି ବଡପୁଅକୁ ସନ୍ଦେହରେ କାବୁ କରିଥିଲେ ଏବଂ ଜେରା କରିଥିଲା । ନିଜର ସବୁ ଅଭିଯୋଗକୁ ମାନିଯାଇଥିଲା ଉଦିତ ।