ଦେବ୍ରୀଗଡର ମୃତ ବାଘକୁ ନେଇ ବିବାଦ ! ମନ୍ତ୍ରୀ କହିଲେ କଲରାପତରିଆ, ପ୍ରାଣୀ ବିଶେଷଜ୍ଞ କହିଲେ ମହାବଳ ।

63

କନକ ବ୍ୟୁରୋ : ଦେବ୍ରିଗଡ ଅଭୟାରଣ୍ୟରୁ ମିଳିଥିବା ମୃତବାଘକୁ ନେଇ ବଢିଲା ବିବାଦ  । ବାଘ, ମହାବଳ ନା କଲରାପତରିଆ । ମୃତ ବାଘର ବ୍ୟବଚ୍ଛେଦ କରି ଆଜି ଜଙ୍ଗଲ ବିଭାଗ କହିଛି, ମୃତ ବାଘଟି ଏକ କଲରାପତରିଆ । ତେବେ ତାର କେମିତି ମୃତ୍ୟୁ ହୋଇଛି ସେନେଇ ଡେରାଡୁନରୁ ଫୋରେନସିକ୍ ରିପୋର୍ଟ ଆସିବା ପରେ ଜଣାପଡିବ । ସେପଟେ ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀ ଓ ପ୍ରାଣୀ ବିଶେଷଜ୍ଞ କହିଛନ୍ତି, ମିଳିଥିବା ବାଘଟି ଏକ ରୟାଲ ବେଙ୍ଗଲ ଟାଇଗର ।

ଦେବ୍ରିଗଡ ଅଭୟାରଣ୍ୟରେ ମିଳିଥିବା ମୃତ ବାଘ, ମହାବଳ ନୁହେଁ ବରଂ କଲରାପତରିଆ । ବ୍ୟବଚ୍ଛେଦ ପରେ ଏକଥା ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସୋମବାର ସକାଳୁ ମୃତ ବାଘର ବ୍ୟବଚ୍ଛେଦ କରାଯିବା ପରେ ତାକୁ ପୋଡି ଦିଆଯାଇଛି । ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟକୁ ପଠାଯାଇଛି ବାଘର ବ୍ୟବଚ୍ଛେଦ ରିପୋର୍ଟ । ସେଠାରୁ ରିପୋର୍ଟ ଆସିବା ପରେ ଜଣାପଡିବ ବାଘର ମୃତ୍ୟୁ ହୋଇଛି କେମିତି ?

ମହାବଳ ନା କଲରାପତରିଆ ?

ବାଘକୁ ହତ୍ୟାକରି ଜଙ୍ଗଲରେ ପୋତାଯାଇଥିବା ନେଇ ଖବର ମିଳିବା ପରେ ଘଟଣାସ୍ଥଳକୁ ଯାଇ ଫଟୋ ଉଠାଇଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ । ବାଘର ଶରୀର ନଷ୍ଟ ହୋଇଯାଇଥିବା ବେଳେ ମିଳିଥିବା ମୁଣ୍ଡକୁ ଦେଖି ତାହା ଏକ ରୟାଲ ବେଙ୍ଗଲ ଟାଇଗର ଅର୍ଥାତ ମହାବଳ ବାଘ ବୋଲି ଚିହ୍ନଟ କରିଥିଲେ ବନ୍ୟପ୍ରାଣୀ ସୁରକ୍ଷା ଅଧିକାରୀ ।

ପ୍ରାୟ ଦେଢ ମାସ ତଳେ ଦେବ୍ରିଗଡ ୱାଇଲ୍ଡ ଲାଇଫ୍ ସେଂଚୁରୀରେ ବାଘ ଥିବା ନେଇ ପ୍ରମାଣ ମିଳିଥିଲା । ବନ ବିଭାଗର ଟ୍ରାପ୍ କ୍ୟାମେରାରେ କଏଦ ହୋଇଥିଲା ମହାବଳର ଫଟୋ । ଏବେ ହଠାତ୍ ସେହି ଅଭୟାରଣ୍ୟରୁ ଗୋଟିଏ ବାଘର ମୃତଦେହ ମିଳିଛି । ଯାହାକୁ ଏକ କଲରାପତରିଆ ବୋଲି କହୁଛି ଜଙ୍ଗଲ ବିଭାଗ । ଏଠି ପ୍ରଶ୍ନ ଉଠୁଛି, ସତ ଲୁଚାଉଛି କି ବନ ବିଭାଗ? ମହାବଳକୁ ଦିଆଯାଉଛି କି କଲରାପତରିଆର ରୂପ?