୩୪ ଟି କ୍ୟାମ୍ପ କୋର୍ଟରେ ୫୦୦ ମାମଲାର ଶୁଣାଣି, ବିନା ଓକିଲରେ ମିଳିଲା ୩୫୦ ଜଣଙ୍କୁ ଜାମିନ୍

147

କନକ ବ୍ୟୁରୋ : ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନରେ ବସିଛନ୍ତି ଆଇନଜୀବୀ  । ଏଥିପାଇଁ ସାରା ରାଜ୍ୟରେ ଲାଗିରହିଥିଲା ଅଚଳାବସ୍ଥା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଜି ଜେଲ ଭିତରେ ଖୋଲିଛି କ୍ୟାମ୍ପ କୋର୍ଟ । ରାଜ୍ୟର ୩୪ଟି ଜେଲ ଓ ସବ୍ ଜେଲରେ ଖୋଲିଥିବା କ୍ୟାମ୍ପ କୋର୍ଟରେ ୫୦୦ ଟି ମାମଲାର ଶୁଣାଣି ହୋଇଛି । ୭ଟି ସ୍ଥାନରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ କ୍ୟାମ୍ପ କୋର୍ଟ ହୋଇପାରିଲା ନାହିଁ ।

 

ବଡ କଥା ହେଉଛି ବିନା ଓକିଲରେ ୩୫୦ ଜଣ ଅଭିଯୁକ୍ତଙ୍କୁ ଆଜି ଜାମିନ୍ ମିଳିଛି । ପୋଲିସର ମାଡ ପ୍ରତିବାଦରେ ପ୍ରାୟ ଦୁଇ ମାସ ହେଲା ଆନ୍ଦୋଳନ କରୁଛନ୍ତି ଆଇନଜୀବୀ । ଫଳରେ ଜେଲରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ଛୋଟମୋଟ କେସରେ ଫସିଥିବା ଲୋକେ ହଟହଟା ହେଉଥିଲେ । ଛୋଟ କାଟିଆ ଗଣ୍ଡଗୋଳରେ ଦୁଇମାସ ହେଲା ଜେଲରେ ସଢୁଥିଲେ ଅଭିଯୁକ୍ତ । ଗତ ଶନିବାର ହାଇକୋର୍ଟ, ଜେଲ ମଧ୍ୟରେ କ୍ୟାମ୍ପ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଫଳରେ ଅଭିଯୁକ୍ତଙ୍କ କେବଳ ଜାମିନ ସମ୍ପର୍କିତ ମାମଲାର ଶୁଣାଣି କରାଯାଇ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଛି । ସେପଟେ ସାଧାରଣ ଲୋକମାନେ ଯେପରି ହଇରାଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଇଥିଲା ଓକିଲ ସଂଘ ।

ତେବେ ବିଚାରାଧିନ କଏଦୀଙ୍କ ସମ୍ପର୍କୀୟଙ୍କ ଏହି କ୍ୟାମ୍ପ କୋର୍ଟକୁ ସ୍ୱାଗତ କରିଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ କ୍ୟାମ୍ପ୍ କୋର୍ଟକୁ ବି ବିରୋଧ କରାଯାଇଛି ।  ବାରିପଦାରେ  କ୍ୟାମ୍ପ୍ କୋର୍ଟକୁ ବିରୋଧ କରିଛନ୍ତି ଆଇନଜୀବୀ ।  ସେପଟେ କୋରାପୁଟ ଓ ଭଦ୍ରକରେ ଭିନ୍ନ କାରଣ ଯୋଗୁଁ ଖୋଲିପାରିିନଥିଲା କ୍ୟାମ୍ପ୍ କୋର୍ଟ ।