କିଡନୀ ନଥିବା ଝିଅର କାହାଣୀ : ବାପା ନଥିଲେ, ଭାଇ ଚାଲିଗଲେ ଏବେ ପ୍ରତାରଣାର ଶିକାର; ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡିତା

198

କନକ ବ୍ୟୁରୋ : କଥାରେ ଅଛି ଦୁଃଖ ଏକା ଆସେ ନାହିଁ ସାଙ୍ଗ ସାଥୀକୁ ସାଙ୍ଗରେ ନେଇ ଆସେ । ଠିକ ଏଭଳି ଘଟଣା ଘଟିଛି ମାଲକାନଗିରିର ବାପ ଛେଉଣ୍ଡ ତ୍ରିପ୍ତି ଦାଶଙ୍କ ଜୀବନରେ । କିଡିନି ଦେଇ ଭାଇଙ୍କ ଜୀବନ ବଞ୍ଚାଇ ଥିଲେ ତ୍ରିପ୍ତି ଦାଶ । କିଛି ଦିନ ପରେ ଭାଇ ଚାଲି ଗଲେ । ଯାହାକୁ ପ୍ରାଣଠୁ ଅଧିକ ଭଲ ପାଇ ଜୀବନ ସାଥୀ ହେବାକୁ ମନସ୍ଥ କରିଥିଲେ ସେ ବି ତାଙ୍କୁ ପ୍ରତାରଣା କରିଛି । ପାହାଡ ପ୍ରମାଣ ଦୁଃଖକୁ ନେଇ ଜୀବନ କାଟୁଛନ୍ତି ତ୍ରିପ୍ତି । ଭାଇଙ୍କ ମୃତ୍ୟୁ ପରେ ମାଁଙ୍କ ସହ ଜୀବନ ବିତାଉ ଥିଲେ ମାଲକାନଗିରି ଏମଭି ୭୨ ଗାଁର ତ୍ରିପ୍ତି ।

ତେବେ ମାଁ ଝିଅର ଅସହାୟତାର ସୁଯୋଗ ନେଇ ପରିବାରର ନିକଟତର ହେଲେ ମାଲାକନଗିରି ଏମଭି ୭୯ ଗାଁର ଜଣେ ବିବାହିତ ଯୁବକ ସଂଜୀପ ପଲ୍ । ଝିଅକୁ ଡାକ୍ତରଖାନା ନେବା ଆଣିବା କଲେ ବାହା ହେବାକୁ ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ କଲେ । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଫଟୋ ଭାଇରାଲ କରିବା ଧମକ ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଲେ । ବିଶାଖାପାଟଣା ମନ୍ଦିର ରେ ବାହା ହୋଇ ମାଲକାନଗିରିରେ ଭଡା ଘରେ ତ୍ରିପ୍ତିକୁ ରଖିଥିଲେ ସଂଜୀବ ପଲ୍ । ତେବେ ଗତ ୫ ମାସ ଧରି ତ୍ରିପ୍ତିକୁ ଆଉ ଧରା ଛୁଆଁ ଦେଉ ନାହାନ୍ତି ସଂଜୀବ । ବାରମ୍ବାର ଫୋନ କଲେ ଓଲୋଟା ଧମକ ଚମକ ଦେଉଛନ୍ତି ।

କାରଣ ସଂଜୀବ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ପୁତୁରା । କିଛି ଦିନ ପୁରବେ ସଂଜୀବଙ୍କ ଘର ସମ୍ମୁଖରେ ଅହରାତ୍ର ବସି ରହି ଥିଲେ ପୀଡିତା । ତେବେ ତାଙ୍କୁଘରର ୫ ଜଣ ନିର୍ଦ୍ଧୁମ ମାଡ ମାରି ଥିବା ଅଭିଯୋଗ ହୋଇଛି । ଏ ନେଇ ଏମଭି ୭୯ ଥାନାରେ ପୀଡିତା ଏତଲା ଦେଇଛନ୍ତି । ତେବେ ପୀଡିତାଙ୍କୁ ଏ ଯାଏଁ ନ୍ୟାୟ ନ ମିଳିବାରୁ ବାରଦ୍ୱାର ଘୁରି ବୁଲୁଛନ୍ତି ପୀଡିତା । ଏବେ ସେ ମାଲକାନଗିରି ଏସପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।