ପ୍ରଚଣ୍ଡ ତାତିରେ ଆହୁରି ୫ ଦିନ କଲବଲ ହେବ ଓଡ଼ିଶା : ୪୨ ଡିଗ୍ରୀ ଉପରେ ରହିପାରେ ପଶ୍ଚିମ ଓଡ଼ିଶାର ଅନେକ ସହରର ପାରଦ

347

କନକ ବ୍ୟୁରୋ : ଆହୁରି ୫ ଦିନ କଲବଲ କରିବ ତାତି । ପଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେବେ ରାଜ୍ୟବାସୀ । ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ । ଗତକାଲି ରାଜ୍ୟର ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଥିଲା । ବଲାଙ୍ଗିରରେ ପାରଦ ଥିଲା ୪୩ ଦଶମିକ ୩ ଡିଗ୍ରୀ ।

ଏହା ପରେ ସମ୍ବଲପୁରରେ ତାତି ଥିଲା ୪୨ ଦଶମିକ ୯ ଡିଗ୍ରୀ । ଝାରସୁଗୁଡ଼ାରେ ୪୨ ଦଶମିକ ୮, ଭୁବନେଶ୍ୱର ଓ ସୋନପୁରରେ ୪୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତ କିଛି ଦିନ ହେବ ରାଜଧାନୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଦିନର ସର୍ବୋଚ୍ଚ ତାପାମାତ୍ରା ୩୯ ଡିଗ୍ରୀ ଭିତରେ ରହୁଥିଲା । ହେଲେ ହଠାତ୍ ରାଜଧାନୀ ତାପାମତ୍ରା ୪୨ ଡିଗ୍ରୀ ପାର କରିଛି । ଅନ୍ୟପଟେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ମୟୂରଭଂଜ ଓ ବାଲେଶ୍ୱରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।