ଟୋଲ ଆଦାୟକୁ ନେଇ ତୁମୁଳକାଣ୍ଡ : ୨ ମହିଳା ସମେତ ୧୦ ଜଣ ଆହତ; ଟୋଲ କର୍ମଚାରୀ ଦୁଇଟି ବସ୍ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ

553

କନକ ବ୍ୟୁରୋ : ଟୋଲ୍ ଆଦାୟକୁ ନେଇ ଆଠଗଡ଼ ମୁଣ୍ଡଳି ଟୋଲ୍ ଗେଟରେ ଗଣ୍ଡଗୋଳ । ମୁହାଁମୁହିଁ ହୋଇଛନ୍ତି ଟୋଲ ଗେଟ୍ କର୍ମଚାରୀ ଓ ଛତିଶଗଡ଼ ପର୍ଯ୍ୟଟକ । ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି । ଟୋଲ୍ ଗେଟ୍ କର୍ମଚାରୀ ଛତିଶଗଡ଼ରୁ ଆସିଥିବା ଦୁଇଟି ତୀର୍ଥଯାତ୍ରୀ ବସକୁ ବାଡେଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଗତ ୧୭ ଦିନ ଧରି ତୀର୍ଥ ଯାତ୍ରାରେ ବାହାରିଥିବା ଛତିଶଗଡ଼ର ଦୁଇଟି ବସ୍ ଗତକାଲି ଅପରାହ୍ଣରେ ମୁଣ୍ଡଳି ଟୋଲ୍ ଗେଟରେ ପହଞ୍ଚିଥିଲା ।

ଏମାନେ ତୀର୍ଥଯାତ୍ରା ଶେଷ କରି ଛତିଶଗଡ଼ ଯାଉଥିଲେ । ଟୋଲ୍ ଗେଟ୍ କର୍ମଚାରୀ ବସ୍ ପିଛା ୫୦୦ ଟଙ୍କା ଦେବାକୁ କହିଥିଲେ । ହେଲେ ପ୍ରତିଥର ୨୦୦ ଟଙ୍କା ଦେଇ ଯିବା ଆସିବା କରୁଥିବା କହିଥିଲେ ବସ୍ ଡ୍ରାଇଭର । ଏହାକୁ ନେଇ ବଚସା ହୋଇଥିଲା । ଯାହାକି ଗଣ୍ଡଗୋଳର ରୂପ ନେଇଥିଲା । ଟୋଲ୍ ଗେଟ୍ କର୍ମଚାରୀ ତୀର୍ଥଯାତ୍ରୀଙ୍କୁ ଠେଙ୍ଗାରେ ଗୋଡାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।