ପ୍ରଚାର ମଇଦାନକୁ ଓହ୍ଲାଇଲେ ନେତା । ସମ୍ବଲପୁରରେ ଅଭିଯାନ ଆରମ୍ଭ କଲେ ପ୍ରଣବ ପ୍ରକାଶ ଦାସ । ବରଗଡ଼ରେ ପ୍ରଦୀପ ପୁରୋହିତ, ଢ଼େଙ୍କାନାଳରେ ରୁଦ୍ର ପାଣି ଘର ଘର ବୁଲି ମାଗିଲେ ଭୋଟ

112

କନକ ବ୍ୟୁରୋ: ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଲେ ନେତା । ବିଜେଡି ଓ ବିଜେପି ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ଏହାପରେ ନେତାମାନେ ଏବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ନାଁ ଘୋଷଣା ସରିଛି ସେହିସବୁ କ୍ଷେତ୍ରରେ ସରଗରମ ହୋଇଛି ରାଜନୀତି । ସମ୍ବଲପୁରରେ ମା ସମଲେଇଙ୍କ ଦର୍ଶନ କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ଓ ବିଜେପି ନେତା । ନିଜ ସମର୍ଥକଙ୍କୁ ସାଙ୍ଗରେ ଧରି ଆରମ୍ଭ କରିଛନ୍ତି ପ୍ରଚାର ।

  • ପ୍ରଚାରକୁ ବାହାରିଲେ ନେତା
  • ଘର ଘର ବୁଲି ମାଗିଲେ ଭୋଟ

ମା’ ସମଲେଇଙ୍କ ଦର୍ଶନ କରି, ପ୍ରଚାର ଆରମ୍ଭ କରିଛନ୍ତି ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ ନେତା ଓ ସମର୍ଥକଙ୍କ ସହ ଯାଇ ମାଙ୍କ ଆର୍ଶୀବାଦ ନେଇଛନ୍ତି । ସେହିପରି ବିଜେଡି ପକ୍ଷରୁ ସୁନ୍ଦରଗଡ ସଂସଦୀୟ କ୍ଷେତ୍ର ପାଇଁ ନାଁ ଘୋଷଣା ପରେ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ । ସକାଳୁ ସକାଳୁ ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିବା ପରେ ପ୍ରଚାର କରିଛନ୍ତି । ତା ପରେ ଦଳୀୟ ନେତାଙ୍କ ସହ କର୍ମୀ ସମ୍ମିଳନୀ କରି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଅନ୍ୟପଟେ ପଶ୍ଚିମ ଓଡିଶାର ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର ବରଗଡରୁ ପ୍ରାର୍ଥୀ ହେବା ପରେ, ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରଦୀପ ପୁରୋହିତ । ମାଙ୍କ ଆର୍ଶୀବାଦ ନେବା ପରେ, ଦଳୀୟ ନେତା ଓ କର୍ମୀଙ୍କ ସହ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ସେହିପରି ଢ଼େଙ୍କାନାଳର ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପୁରୁଣା କର୍ମୀଙ୍କୁ ନିଜ ପାଖକୁ ଫେରାଇ ଆଣିବା ସହ ବିଜୟ ଟିକା ପିନ୍ଧିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ଖାଲି ସେତିକି ନୁହେଁ, ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବିଜେଡି ତୁଙ୍ଗ ନେତା ଓ ଆଗ ଧାଡିର କର୍ମୀମାନଙ୍କୁ ନେଇ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ବୈଠକ କରିଛନ୍ତି । ନିର୍ବାଚନରେ ବିରୋଧୀଙ୍କୁ କେମିତି ମାତ୍ ଦେଇ ହେବ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ସେପଟେ ମାଲକାନଗିରିର ବିଜେଡି ବିଧାୟକ ପ୍ରାର୍ଥୀ ମାନସ ମାଡକାମି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।