ଶେଷ ମୁହୁର୍ତ୍ତରେ ବିଜେଡି ନେତାଙ୍କ ଟିକେଟ ଲବି । ନବୀନ ନିବାସରେ ଆଜି ମଧ୍ୟ ଆଶାୟୀଙ୍କ ଭିଡ଼ । କିଛି ଆସନରେ ଏବେ ବି ରହିଛି ଦ୍ୱନ୍ଦ୍ୱ ।

790

କନକ ବ୍ୟୁରୋ: ବାକି ଥିବା ବିଧାନସଭା ଓ ଲୋକସଭାରେ କାହାକୁ ମିଳିବ ଟିକେଟ୍? କାହାର କଟିଯିବ ଆସନ? ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଆଶାୟୀ ନେତା । ଗତକାଲି ଭଳି ଆଜି ବି ନବୀନ ନିବାସରେ ବିଜେଡି ନେତାଙ୍କ ଗହଳି ଦେଖିବାକୁ ମିଳିଛି । କୁହାଯାଉଛି, ଯେଉଁମାନଙ୍କୁ ଦଳୀୟ ଟିକେଟ୍ ମିଳିବ, ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଯାଇଛି । ଖାଲି ଅପେକ୍ଷା ରହିଛି, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ । ତେବେ ଶେଷ ମୁହୂର୍ତ୍ତରେ ଟିକେଟ ପକ୍କା କରିବା ପାଇଁ ଭିନ୍ନ ଭିନ୍ନ ଆଳରେ ନବୀନ ନିବାସରେ ପହଞ୍ଚୁଛନ୍ତି ନେତା । ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ରମେଶ ଚ୍ୟାଉ ପଟ୍ଟନାୟକ, ପଦ୍ମନାଭ ବେହେରା, ଅଙ୍ଗଦ କହଁର ପ୍ରମୁଖ ନବୀନ ନିବାସ ଆସିଥିଲେ । ଅନ୍ୟପଟେ ଟିକେଟ ପାଇଥିବା ନେତା ସୁପ୍ରିମୋଙ୍କୁ ଭେଟି ଜଣାଇଛନ୍ତି ଧନ୍ୟବାଦ ।

  • ଶେଷ ମୁହୂର୍ତ୍ତରେ ଟିକେଟ୍ ଲବି
  • ଆଜି ବି ନବୀନ ନିବାସରେ ଆଶାୟୀଙ୍କ ଭିଡ଼

ଗୋଟିଏ ଦିନରେ ଦୁଇଟି ପର୍ଯ୍ୟାୟରେ ୧୫ ଲୋକସଭା ଓ ୭୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି । ତୃତୀୟ ପର୍ଯ୍ୟାୟରେ ବହୁ ଚର୍ଚ୍ଚିତ ଆସନରେ ବିଜେଡି ପ୍ରାର୍ଥୀ ଦେବ । ଏଥିସବୁ ସିଟରେ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଝୁଲିକି ରହିଛି । ଭୁବନେଶ୍ୱର ଲୋକସଭା ପାଇଁ ଦଳ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଦଳ ଟିକେଟ ଦେଇଛି । ଜଟଣୀ ବିଧାନସଭାରେ ବିଭୂତି ବଳବନ୍ତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି ବାକି ୬ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ ।ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଖୋର୍ଦ୍ଧା ଓ ବେଗୁନିଆ ବାକି ରହିଛି । ସେହପରି ବ୍ରହ୍ମପୁର ଲୋକସଭା ଆସନରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ କିଏ ଟକ୍କର ଦେବ ତାକୁ ନେଇ ଦଳରେ ଅଙ୍କକଷା ଚାଲିଛି । ସେପଟେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବ୍ରହ୍ମପୁର, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦେଇନାହିଁ ।ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ, ସମ୍ବଲପୁର ଲୋକସଭା କ୍ଷେତ୍ରର ୬ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା କରିନାହିଁ ଦଳ । ଏହି ଲୋକସଭା କ୍ଷେତ୍ରର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଆଠମଲ୍ଲିକ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।ସେହିପରି ଯେଉଁ ଆସନରେ ଏକାଧିକ ପ୍ରାର୍ଥୀ ଆଶାୟୀ ଅଛନ୍ତି, ସେହି ଆସନ ଗୁଡିକରେ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେଡି । ନବୀନ ନିବାସରେ ଟିକେଟ କସରତ ଚାଲିଥିବା ବେଳେ ନେତାଙ୍କ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି ।