ଓଡ଼ିଶା ଆସି ନବୀନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ! କହିଲେ ଦେଶକୁ ଦରକାର ପରିବର୍ତ୍ତନ, ସବୁ ଆଂଚଳିକ ଦଳ ଏକାଠି ହେବା ଆବଶ୍ୟକ ।

218

କନକ ବ୍ୟୁରୋ : ତେଲେଙ୍ଗାନା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମରୁ ଦେଶ ପାଇଁ ଆସିଛି ବଡ ବାର୍ତ୍ତା । ସମସ୍ତ ଆଂଚଳିକ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେବା ସହ ଦେଶ ଏକ ପରିବର୍ତନ ଆବଶ୍ୟକ କରୁଛି ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ବର୍ତମାନ ଏହା ପୂର୍ଣ୍ଣାଙ୍ଗ ରୂପ ନେଇନଥିଲେ ବି ଖୁବ୍ ଶୀଘ୍ର ଏହା ଜଣାପଡ଼ିବ ବୋଲି କହିଛନ୍ତି କେସିଆର । ବିଜେପି ଏବଂ କଂଗ୍ରେସଠାରୁ ଏକ ବିକଳ୍ପ ସାରା ଦେଶ ଆବଶ୍ୟକ କରୁଛି ବୋଲି କେସିଆର୍ କହିଛନ୍ତି ।

ସେହିପରି ନବୀନ କହିଛନ୍ତି ସମଭାବାପନ୍ନ ଆଂଚଳିକ ଦଳ ଗୁଡ଼ିକ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏକାଠି ହେବାର ଆବଶ୍ୟକତା ରହିଛି । ସେହିପରି କେସିଆରଙ୍କ ସହ ପୋଲାଭରମ୍, କୃଷୀ ପ୍ରସଙ୍ଗ, ମହିଳା ସଂରକ୍ଷଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କେସିଆର୍ ଆଜି ଭୁବନେଶ୍ୱରରେ ରାତ୍ରୀଯାପନ କରିବା ପରେ ଆସନ୍ତାକାଲି ସପରିବାର ପୁରୀ ଓ କୋଣାର୍କ ଗସ୍ତରେ ଯିବେ । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି ପୁଣି ଭୁବନେଶ୍ୱର ଫେରିବେ । ଆଉ ଓଡ଼ିଶା ଗସ୍ତ ପରେ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ଗସ୍ତରେ ଯିବେ କେସିଆର୍ । କୋଲକାତାରେ ମମତା ବାନାର୍ଜୀ ଏବଂ ଦିଲ୍ଲୀରେ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଉ ନିର୍ବାଚନ ବର୍ଷରେ କେସିଆରଙ୍କ ଏହି ମାରାଥନ ଗସ୍ତ ଦେଶରେ ଏକ ନୂଆ ରାଜନୈତିକ ସମୀକରଣର ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।