୨୦୧୯ରେ କିଏ ଗଢିବ ସରକାର? ନବୀନ ଓ କେସିଆରଙ୍କ ହାତରେ ରହିବ କି ଚାବିକାଠି

448

କନକ ବ୍ୟୁରୋ : ଓଡିଶାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ୨୦୧୯ ନିର୍ବାଚନ ପୂର୍ବରୁ କେସିଆରଙ୍କ ଓଡିଶା ଗସ୍ତକୁ ନେଇ ଏବେ ଜାତୀୟ ରାଜନୀତିେରେ ଚର୍ଚ୍ଚା ଜୋର ଧରିଛି । ଓଡିଶାକୁ କେସିଆର ଆସୁଛନ୍ତି କାହିଁକି? ଏଭଳି ଏକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି । ଆଉ ସବୁଠୁ ବଡ କଥା ହେଲା ବିଭିନ୍ନ ଖଟିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, କେସିଆର ମୋଦିଙ୍କ ମେସେଞ୍ଜର ଭାବେ ଓଡିଶା ଆସୁଛନ୍ତି । ଅଥାର୍ତ ୨୦୧୯ରେ ଯଦି ମ୍ୟାଜିକ ନମ୍ବର ଏନଡିଏ ହାସଲ କରି ନ ପାରେ ତେବେ କେସିଆର ଏବେ ଯେଉଁ ମନ୍ତ୍ର ନବୀନଙ୍କୁ ଦେଇଯିବେ ତାହା ହୁଏତ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନରେ ବସାଇପାରେ । ଏହା କେବଳ ଚର୍ଚ୍ଚା ନା ଏକଥାରେ କୌଣସି ସତ୍ୟତା ଅଛି ତାହା ତ ଆଗାମୀ ଦିନରେ ଜଣାପଡିବ ।

୩ଟି ରାଜ୍ୟରେ ପଦ୍ମ ଝଡିବା ପରେ ୨୦୧୯ରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ନେଇ ଆଶଙ୍କାରେ ରହିଛି ବିଜେପି । ଆଉ ଏଭଳି ସ୍ଥଳେ ଶକ୍ତିସଂଗ୍ରହ ପାଇଁ କେସିଆର ଏକ ବଡ ଭୂମିକା ତୁଲାଉଥିବା ଚର୍ଚ୍ଚା ହେଉଛି । ଆଉ ଏହାର ମାଧ୍ୟମ ସାଜିପାରେ କେସିଆରଙ୍କ ମାନସପୁତ୍ର ଫେଡରାଲ ଫ୍ରଣ୍ଟ । ଫେଡରାଲ ଫ୍ରଣ୍ଟ ଜାତୀୟ ରାଜନୀତିରେ ସେତେବେଳେ ପ୍ରଭାବ ବିସ୍ତାର କରିବ ଯେତେବେଳେ ୨୦୧୯ ନିର୍ବାଚନରେ ଏନଡିଏ କିମ୍ବା ୟୁପିଏକୁ ସରକାର ଗଢିବାକୁ ଆବଶ୍ୟକୀୟ ସଂଖ୍ୟା ମିଳିବ ନାହିଁ । ଆଉ ଏଭଳି ସମ୍ଭାବନା ମଧ୍ୟ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଟିଡିପି ଏନଡିଏରୁ ଓହରିବା ପରେ ଏବେ କେସିଆର ବିଜେପିର ନିକଟତର ହେଉଥିବା ଦେଖିବାକୁ ମିଳିଛି । ତେଣୁ କେସିଆରଙ୍କ ମାଧ୍ୟମରେ ଗଠନ ହେବାକୁ ଥିବା ଫେଡରାଲ ଫ୍ରଣ୍ଟର ସମର୍ଥନ ହାସଲ କରିବାକୁ ବିଜେପି ଗୋଟି ଚଳାଇଥିବା ଚର୍ଚ୍ଚା ହେଉଛି ।

MODI FOCUSଏହାଛଡା ଏବେ ବିଜେପି ଓ ମୋଦିଙ୍କ ଫୋକସରେ ଓଡିଶା ରହିଛି । ଓଡିଶା ସମେତ ପୂର୍ବଞ୍ଚଳରୁ କିଛି ଆସନ ହାତେଇବାକୁ ଅଙ୍କ କଷୁଛନ୍ତି ବିଜେପି ଚାଣକ୍ୟ । କିନ୍ତୁ ଏହାସତ୍ତେ୍ୱ ଯଦି ବିଜେପି ସରକାର ଗଢିବାକୁ ମ୍ୟାଜିକ ନମ୍ବର ହାସଲ କରିନପାରେ ତେବେ ସେଭଳି ସ୍ଥିତିରେ ଫେଡରାଲ ଫ୍ରଣ୍ଟ ମାଧ୍ୟମରେ ଆଞ୍ଚଳିକ ଦଳ ଗୁଡିକର ସମର୍ଥନ ବିଜେପି ଲୋଡିପାରେ ବୋଲି ଚର୍ଚ୍ଚା ହେଉଛି । ସବୁଠୁ ବଡ କଥା ହେଲା, ଉଭୟ କେସିଆର ଓ ନବୀନଙ୍କ ରାଜନୀତି ସମାନ ବୋଲି ଦେଖିବାକୁ ମିଳିଥାଏ । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମୟରେ ମଧ୍ୟ ଉଭୟ ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ । ଏପରିକି ପୂର୍ବରୁ କେସିଆରଙ୍କ ଟିଡିପି ସଂସଦରେ ଏନଡିଏକୁ ପ୍ରସଙ୍ଗଭିତ୍ତିକ ସମର୍ଥନ ମଧ୍ୟ ଦେଇଛି ।
ଆଉ ଏଭଳିସ୍ଥଳେ ଯଦି ୨୦୧୯ରେ କୌଣସି ଦଳ ସରକାର ଗଢିବାକୁ ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ହାସଲ ନ କରନ୍ତି ତେବେ ବିଜେଡି ଓ ଟିଆରଏସ ଭଳି ଦଳକୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । କେସିଆରଙ୍କ ଗସ୍ତ ସ୍ପଷ୍ଟ ସୂଚାଉଛି ଯେ, ଆଗାମୀ ଦିନରେ ସରକାର କିଏ ଗଢିବ ତାହାର ଚାବିକାଠି ଏଭଳି ସମଭାବାପନ୍ନ ଦଳ ଗୁଡିକ ହାତରେ ରହିବ ବୋଲି ଚର୍ଚ୍ଚା ହେଉଛି ।

ଏହାଛଡା ଆସନ୍ତାକାଲି ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବା ବେଳେ ଅରଗୁଳ ଆଇଆଇଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବେ । ସେହିଭଳି ଯେତେବେଳେ ଭୁବନେଶ୍ୱର ବିମାନବନ୍ଦରରୁ ମୋଦି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ସେତେବେଳେ ମଧ୍ୟ ତାଙ୍କୁ ବିଦାୟ ଦେବାକୁ ବିମାନବନ୍ଦର ଯିବେ ନବୀନ । ଆଉ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପୂର୍ବରୁ ମୋଦିଙ୍କ ଓଡିଶା ଗସ୍ତ ସମୟରେ ଏଭଳି ଦେଖିବାକୁ ମିଳିନାହିଁ । ତେଣୁ ଏହା ସ୍ପଷ୍ଟ ସଂକେତ ଦେଉଛି ୨୦୧୯ରେ ମୋଦିଙ୍କ ପାଇଁ ନବୀନ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପାରନ୍ତି । ଏହାଛଡା ହିନ୍ଦୀ ହାର୍ଟଲାଇନରେ ପରାଜୟ ପରେ ଏବେ ମାପିଚୁପି ଗୋଟି ଚାଳନା କରୁଛି ବିଜେପି । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଆଞ୍ଚଳିକ ଦଳ ଗୁଡିକ ପାଇଁ ବିଜେପି ସମସ୍ତ ଦ୍ୱାର ଉନ୍ମୁକ୍ତ ରଖିଥିବା ଚର୍ଚ୍ଚା ହେଉଛି ।