ପିଲାଙ୍କୁ ପାଠ ପଢ଼ାଇବାର ନୂଆ ଫଣ୍ଡା । ନାଚୁଛନ୍ତି ଗୀତ ଗାଉଛନ୍ତି, ସହଜ ଉପାୟରେ ଦେଶର ଆଗାମୀ ଭବିଷ୍ୟତ ଗଢୁଛନ୍ତି ଶିକ୍ଷୟତ୍ରୀ ।

691

କନକ ବ୍ୟୁରୋ: ଶିକ୍ଷା ଯାହା ମଣିଷକୁ ସମାଜର ସ୍ରୋତରେ ପ୍ରକୃତ ପରିଚୟ ଦେଇଥାଏ । ଶିକ୍ଷାର ସାଧନାକୁ ସାର୍ଥକ କରିବା ଓ ରାଷ୍ଟ୍ରର ବାସ୍ତବିକ ନିର୍ମାତା ଭାବେ ସହାୟକ ହୋଇଥାନ୍ତି ଗୁରୁ । ଆଜିର ଦୁନିଆରେ ‘ଗୁରୁ’ର ପ୍ରକୃତ ସଂଜ୍ଞା ବୁଝାଉଛନ୍ତି ଜଗତସିଂହପୁର ଜିଲ୍ଲାର ଶିକ୍ଷୟତ୍ରୀ ମିନାରାଣୀ ସାହୁ । ପିଲାମାନଙ୍କୁ ତାଙ୍କର ଶିଖେଇବାର ଶୈଳୀ ଏବେ ଚାରିଆଡେ ଚର୍ଚ୍ଚା ପାଲଟିଛି ।

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନାରାଣୀ ସାହୁ । ଦୀର୍ଘ ବର୍ଷ ହେବ ନାଚ-ଗୀତ ଜରିଆରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ସମସ୍ତ ବିଷୟରେ ଶିକ୍ଷୟିତ୍ରୀ ଏହି ନାଚ ଗୀତ ମାଧ୍ୟମରେ ଶିକ୍ଷା ଦେଉ ଥିବାରୁ ଛାତ୍ର ଛାତ୍ରୀ ମାନେ ସହଜରେ ବୁଝିପାରୁଛନ୍ତି । ଆଉ ଦିଦିଙ୍କ ଏଭଳି ଶିକ୍ଷାଦାନକୁ ସାଦରର ସହ ଗ୍ରହଣ କରି ଆଗାମୀ ଭବିଷ୍ୟତ ଗଢୁଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଏଭଳି ପାଠ ପଢ଼ା ଅନ୍ଦାଜ୍ ତାଙ୍କୁ ଛାତ୍ର-ଛାତ୍ରୀଙ୍କ ବେଶ୍ ନିକଟତର କରିପାରିଛି ବୋଲି ମିନାରାଣୀ କହିଛନ୍ତି । କେବଳ ପିଲାମାନେ ନୁହେଁ ବରଂ ପ୍ରଧାନ ଶିକ୍ଷୟତ୍ରୀ ମିନାରାଣୀଙ୍କ ଏଭଳି ଶିକ୍ଷାଦାନ ଅଭିଭାବକଙ୍କ ମନଜିଣିପାରିଛି । ତେଣୁ ମିନାରାଣୀଙ୍କ ଏଭଳି ନିଆରା ଶିକ୍ଷା ଦାନକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରସଂଶା କରିବା ସହିତ ଅନ୍ୟ ମାନଙ୍କ ପାଇଁ ମିନାରଣୀ ଉଦାହରଣ ସୃଷ୍ଟି ।

ସତରେ ମିନାରାଣୀଙ୍କ ଏଭଳି ଅଭିନବ ଶିକ୍ଷାଦାନର ପରିଭାଷା ସଭ୍ୟ ସମାଜ ପାଇଁ ଏକ ବାର୍ତ୍ତା ଦେଉଛି । ଯାହାକୁ ହୁଏତ ଅନେକ ଗୁରୁ ଅନୁକରଣ କରି ଦେଶର ଆଗାମୀ ଭିବଷ୍ୟତକୁ ଗଢ଼ିବେ ବୋଲି ମତ ପ୍ରକାଶ ପାଇଛି ।