ଷ୍ଟାଲିନ୍ ସରକାରଙ୍କ ବଡ ଘୋଷଣା, ଏବେ ସରକାରୀ ସ୍କୁଲରେ ପିଲାମାନଙ୍କୁ ମିଳିବ ସକାଳ ଜଳଖିଆ

383

କନକ ବ୍ୟୁରୋ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ୫ ଟି ଘୋଷଣା କରିଛନ୍ତି । ହେଲେ ଷ୍ଟାଲିନ ଆଜି ଏକ ଅଜବ ଢଙ୍ଗରେ ଏସବୁ ଯୋଜନାର ଘୋଷଣା କରିଛନ୍ତି । ସେ ଚେନ୍ନାଇ ମରିନା ନିକଟ କିନାରେ କରୁଣାନିଧି ମେମୋରିଆଲ ରୁ ଆନ୍ନା ମେମୋରିଆଲ ପର୍ଯ୍ୟନ୍ତ ସାଧାରଣ ଯାତ୍ରୀଙ୍କ ସହ ବସରେ ଯାତ୍ରା କରିବା ଅବସରରେ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ସେ ରାଜ୍ୟରେ ମହିଳାମାନଙ୍କୁ ଦିଆଯାଇଥିବା ମାଗଣା ବସ୍ ଯାତ୍ରା ସୁବିଧା ବାବଦରେ ପଚାରି ବୁଝିଥିଲେ ।

ଏହାପରେ ସେ ତାମିଲନାଡୁ ବିଧାନସଭାରେ ପହଂଚି ସରକାରଙ୍କ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଉପଲବ୍ଧି କହିବା ସହ କିଛି ଲୋକ କଲ୍ୟାଣକାରୀ ଯୋଜନାର ଘୋଷଣା କରିଛନ୍ତି । ଏହି କ୍ରମରେ ସେ ଘୋଷଣା କରିଥିଲେ କି ରାଜ୍ୟରେ ଥିବା ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ସହ ସକାଳେ ପୌଷ୍ଟିକ ଜଳଖିଆ ଯୋଗାଇ ଦିଆଯିବ । ଏହାସହ ସ୍କୁଲଗୁଡିକରେ ପ୍ରତିମାସ ସମସ୍ତ ଛାତ୍ର ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନେଇ ସେ ଘୋଷଣା କରିଛନ୍ତି ।

କହିରଖୁ କି, ୨୦୨୧ ମଇମାସ ୭ ତାରିଖରେ ଷ୍ଟାଲିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ପ୍ରଥମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଛନ୍ତି ।