ଲୋକପାଳ ନିଯୁକ୍ତିରେ ବିଳମ୍ବ : ସୁପ୍ରିମକୋର୍ଟର କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା

20

କନକ ବ୍ୟୁରୋ : ଲୋକପାଳ ନିଯୁକ୍ତିରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ଦେଶରେ ଉଚ୍ଚପଦାଧିକାରୀ ସ୍ତରର ଦୁର୍ନୀତିରେ ରୋକ୍ ଲଗାଇବା ପାଇଁ ଲୋକପାଳ ଗଠନକୁ ତିନି ବର୍ଷ ବିତି ଯାଇଛି । କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ଲୋକପାଳ ନିଯୁକ୍ତ କରିନାହାଁନ୍ତି । ଦେଶରୁ ଦୁର୍ନୀତି ହଟାଇବାକୁ ତତ୍ପର କେନ୍ଦ୍ର ସରକାରଙ୍କୁ ଏଥିପାଇଁ କିଏ ଅଟକାଇଛି ବୋଲି ପ୍ରଶ୍ନ କରିଛି ସୁପ୍ରିମକୋର୍ଟ ।

ନିୟମ ଅନୁଯାୟୀ ଚୟନ କମିଟିରେ ଲୋକସଭାରେ ବିରୋଧୀ ଦଳ ନେତା ରହିବା କଥା । କିନ୍ତୁ ଲୋକସଭାରେ କୈାଣସି ଦଳ ନିକଟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନଥିବା କଥା ଆଟର୍ଣ୍ଣି ଜେନରୋଲ କୋର୍ଟଙ୍କୁ ଜଣାଇଥିଲେ । ତେଣୁ ଚୟନ କମିଟି ଲୋକପାଳଙ୍କୁ ନିଯୁକ୍ତି ଦେଇପାରୁନାହାଁନ୍ତି । ଏନଡିଏ ସରକାର ଏହି ନିୟମରେ କିଛି ପରିବର୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏହି ନିୟମ ସଂଶୋଧନ ହୋଇପାରିନାହିଁ  ।