ଅସାମ୍ବିଧାନିକ ହେଲା ଟ୍ରିପଲ ତଲାକ ! ୬ ମାସ ଭିତରେ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

81

କନକ ବ୍ୟୁରୋ : ଆଉ ଶୁଣିବାକୁ ମିଳିବନି ତଲାକ. ତଲାକ.. ତଲାକ… । ଶେଷ ହେଲା ତିନି ତଲାକର ପ୍ରଥା । ମୁସଲିମ୍ ମହିଳାଙ୍କୁ ମିଳିଲା ୧୦୦୦ ବର୍ଷ ତଳର କୁତ୍ସିତ ପ୍ରଥାରୁ ମୁକ୍ତି । ଏଣିକି ଏହା ଆଉ ନ୍ୟାୟସିଦ୍ଧ ହେବନାହିଁ ଟ୍ରିପଲ ତଲାକ୍ । ତିନି ତଲାକ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ଐତିହାସିକ ରାୟରେ ତିନି ତଲାକକୁ ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏବଂ ଆସନ୍ତା ୬ମାସ ମଧ୍ୟରେ ଏନେଇ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହରଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି  କରିଥିଲେ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟର ୫ଜଣ ବରିଷ୍ଠ ନ୍ୟାୟାଧିଶଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ ହୋଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର, ଜଷ୍ଟିସ ଆର.ଏଫ୍. ନରୀମନ୍, ଜଷ୍ଟିସ ୟୁ.ୟୁ. ଲଳିତ୍, ଜଷ୍ଟିସ କୁରିୟନ୍ ଜୋସେଫ୍ ଓ ଜଷ୍ଟିସ ଅବଦୁଲ୍ ନାଜିର୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟରୁ ଜଷ୍ଟିସ ଆର.ଏଫ୍. ନରୀମନ୍, ଜଷ୍ଟିସ ୟୁ.ୟୁ. ଲଳିତ୍, ଜଷ୍ଟିସ କୁରିୟନ୍ ଜୋସେଫ୍ ଏହି ତିନି ତଲାକ ପ୍ରଥାକୁ ଅସାମ୍ବିଧାନିକ କହିଥିବା ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଓ ଜଷ୍ଟିସ ଅବଦୁଲ୍ ନାଜିର୍ ୧୦୦୦ ବର୍ଷ ତଳର ଏହି ପ୍ରଥା ପକ୍ଷରେ ଥିଲେ ।

ତେବେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ବିଚାରପତି ତିନି ତଲାକକୁ ଅସାମ୍ବିଧାନିକ ଦର୍ଶାଇବା ଦ୍ୱାରା ଏହାକୁ ରଦ୍ଦ କରାଯାଇଛି । ତିନି ତଲାକ ମାମଲାରେ ଗତ ମେ ମାସ ୧୧ ତାରିଖରୁ ୧୮ ତାରିଖ ପର୍ୟ୍ୟନ୍ତ ଶୁଣାଣି ଚାଲିଥିଲା । କେନ୍ଦ୍ର ସରକାର ଏହି ମାମଲାରେ ତାଙ୍କର ପକ୍ଷ ରଖି ତିନି ତଲାକ୍ ପ୍ରଥାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ ଏବଂ ଏହାର ପରିସମାପ୍ତି ପାଇଁ ଅନୁରୋଧ କରିଥିଲେ  । ଇସଲାମ ଧର୍ମରେ ତିନି ତଳାକ ପ୍ରଥା ଦୀର୍ଘ ୧୪୦୦ ବର୍ଷ ଧରି ଚାଲି ଆସୁଛି । ତେଣୁ ଏଭଳି ପରମ୍ପରାକୁ ରଦ୍ଦ ନ କରିବା ପାଇଁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ବୋର୍ଡ ତରଫରୁ କପିଲ ସିବଲ ଅନୁରୋଧ କରିଥିଲେ ।  ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ।

ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ମୋଦି ତାଙ୍କ ଅଭିଭାଷଣରେ ଟ୍ରିପିଲ ତଲାକ ବନ୍ଦ ହେବା ଉଚିତ ବୋଲି କହିଥିଲେ । କାରଣ ଏହି ପ୍ରଥା ପାଇଁ ମୁସଲିମ ମହିଳା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏବେ ସମୟ ବଦଳିଛି ।  ମୁସିଲିମ୍ ମହିଳା ଏହି କୁତ୍ସିତ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ଆଉ ପୂରା ଦେଶ ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛି । ତେଣୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।