କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ! ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସୁବଳ

59

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ବିଜେପୁର ବିଧାୟକ ସୁବଳ ସାହୁଙ୍କ ପରଲୋକ ହୋଇଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୮ମାସ ତଳେ ସେ ଅର୍ଶ ରୋଗରେ ପିଡୀତ ଥିବା ବେଳେ ପରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା । ସେ ପ୍ରଥମେ ମୁମ୍ବାଇରେ ଏନେଇ ଚିକିତ୍ସିତ ହୋଇ ଓଡିଶା ଫେରି ଆସିଥିଲେ ଓ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି ।

ସ୍ୱର୍ଗତ ସାହୁ କଂଗ୍ରେସର ଜଣେ ବରିଷ୍ଠ ନେତା ଥିଲେ । କ୍ରମାଗତ ତିନିଥର ସେ ବିଜେପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଲୋକପ୍ରିୟତା ପାଇଁ ସାରା ରାଜ୍ୟରେ ବିଜେଡି ନିଜ ଦବଦବା ଦେଖାଇଥିବା ବେଳେ ସେ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ ।

ସେ ବିଭିନ୍ନ ସମୟରେ ବିଧାନସଭା ଲାଇବ୍ରେରୀ କମିଟି, ଷ୍ଟାଡିଂ କମିଟି, ଓଡିଶା ଏକ୍ସାଇଜ ବିଲ ର ସିଲେକ୍ଟ କମିଟି ସଦସ୍ୟ ମଧ୍ୟ ରହିଥିଲେ । ବଲାଙ୍ଗୀର କଲେଜରୁ ଏଲଏଲବି ପାସ କରି ଆଇନଜୀବି ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ ।

ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।