ସ୍କୁଲ ପିଲାଙ୍କ ମଧ୍ୟରେ ବଢୁଥିବା ନିଶା ଅଭ୍ୟାସକୁ ନେଇ ସୁପ୍ରିମକୋର୍ଟର ଚିନ୍ତା ଜାହିର

34

କନକ ବ୍ୟୁରୋ : ସ୍କୁଲ ପିଲାଙ୍କ ମଧ୍ୟରେ ବଢୁଥିବା ଡ୍ରଗ୍ସ, ମଦ ଓ ନିଶା ଅଭ୍ୟାସକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ଜାହିର କରିଛନ୍ତି । ୬ ମାସ ଭିତରେ ଏହାରି ଉପରେ ରୋକ ଲଗାଇବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଚିଫ ଜଷ୍ଟିସ ଟିଏସ ଠାକୁର ଓ ଜଷ୍ଟିସ ବି.ୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ୪ମାସରେ ସବୁ ସ୍କୁଲରେ ସର୍ଭେ କରି ପିଲାଙ୍କୁ ନିଶାରୁ ଉଦ୍ଧାର କରିବା ପାଇଁ ଉଚିତ ପଦକ୍ଷେପ ବାଛିବାକୁ କୁହାଯାଇଛି ।

ତେବେ କେନ୍ଦ୍ର ସରକାର କି ପ୍ରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କଲେ ତାହା କୋର୍ଟଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶନାମାରେ ରହିଛି । ଥରେ ସ୍କୁଲ ପିଲା ନିଶାରେ ଅଭ୍ୟସ୍ତ ହେବା ପରେ ତାଙ୍କୁ ନିଶା ସୌଦାଗର ହେବାକୁ ମାଫିଆମାନେ ଉସକାଇଥାନ୍ତି । ତେଣୁ ନିଶା ସେବନର କୁପରିଣାମ ସଂପର୍କରେ ସଚେତନ କରିବାକୁ ନୂଆ ପାଠ୍ୟ ଖସଡା ଉପରେ ମଧ୍ୟ ବିଚାର କରିବାକୁ କୋର୍ଟ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି । ନୋବେଲ ବିଜୟୀ କୈଳାସ ସତ୍ୟାର୍ଥୀଙ୍କ ଏନଜିଓ ବଚପନ ବଚାଓ ତରଫରୁ ଦାୟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।