ଅକ୍ଟୋବର ୧୧ରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ : ଆଜି ନିର୍ବାଚନ ନେଇ କ୍ୟାମ୍ପସରେ ବାହାରିବ ବିଜ୍ଞପ୍ତି

38

କନକ ବ୍ୟୁରୋ : ଅକ୍ଟୋବର ୧୧ରେ ହେବ ଛାତ୍ର ସ˚ସଦ ନିର୍ବାଚନ। ରାଜ୍ୟରେ ଥିବା ସମସ୍ତ ଯୁକ୍ତ୩ କଲେଜ ଏବ˚ ବିଶ୍ୱବିଦ୍ୟାଳୟ ପାଇଁ ଅକ୍ଟୋବର ୧(ଆଜି) କ୍ୟାମ୍ପସରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଲିଙ୍ଗଡୋ କମିସନଙ୍କ ନିୟମ ଲାଗୁ ହେବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯେକୌଣସି ସମୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିପାରିବେ। ୩ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ।

 

ଅକ୍ଟୋବର ୪ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ନିର୍ବାଚନ ହେବାକୁ ଥିବା କ୍ୟାମ୍ପସରେ ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଅପରାହ୍ନ ୨ଟାରୁ ଭୋଟ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

 

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ସମସ୍ତ କଲେଜ/ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ ଯୋଗାଇ ଦେବାକୁ କୁହାଯାଇଛି। ଯଦି କ୍ୟାମ୍ପସରେ କୌଣସି ପ୍ରକାର ଗଣ୍ତଗୋଳ ହୁଏ ତେବେ ନିର୍ବାଚନକୁ ବାତିଲ୍ କରିବା କ୍ଷମତା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁୁ ଦିଆଯାଇଛି।

ନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି ଥିବାରୁ ରାଜ୍ୟର ତିନୋଟି ଛାମୁଆ ଛାତ୍ର ସଙ୍ଗଠନ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର କହିଛନ୍ତି ସମସ୍ତ କ୍ୟାମ୍ପସ ପାଇଁ ପ୍ରାର୍ଥୀ ଚୟନ ଶେଷ ହୋଇଛି। ଜିଲ୍ଲା କମିଟି ଓ କ୍ୟାମ୍ପସ କମିଟି ପ୍ରାର୍ଥୀ ଚୟନ କରିଛନ୍ତି। ସୋମବାର କ୍ୟାମ୍ପସରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାରୁ ଏହି ଦିନଠାରୁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବେ। ରାଜ୍ୟ ଓ ଜିଲ୍ଲାସ୍ତରୀୟ ଛାତ୍ରନେତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ନିର୍ବାଚନ ପରିଚାଳିତ ହେଉଛି। ଗତବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଛାତ୍ର ବିଜେଡି ବିଜୟ ହୋଇଥିଲା। ଏଥର ଆହୁରି ଭଲ କରିବାକୁ ଲକ୍ଷ୍ୟ ରଖିଛୁ। ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବନ୍ଦ ହେବା ଦୁଃଖର ବିଷୟ। ନିର୍ବାଚନ ସପକ୍ଷରେ ଛାତ୍ର ବିଜେଡି ସବୁବେଳେ ରହିଛି। ନୂତନ ନେତୃତ୍ୱ ବିକାଶରେ ନିର୍ବାଚନ ସହାୟକ ହୁଏ। ଭବିଷ୍ୟତ ପାଇଁ ସୁଯୋଗ ସୃଷ୍ଟିି କରେ।

 

ଛାତ୍ର କଂଗ୍ରେସ ସଂଯୋଜକ ଇତିଶ୍ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛୁ। ସବୁ କ୍ୟାମ୍ପସରେ ପ୍ରାର୍ଥୀ ଦେବୁ। ସୋମବାର ୯୫ ପ୍ରତିଶତ କ୍ୟାମ୍ପସରେ ପ୍ରାର୍ଥୀ ଘୋଷଣା କରାଯିବ। ଗାନ୍ଧୀ ଜୟନ୍ତୀରୁ ପ୍ରଚାର ଚାଲିବ। ଭୁବନେଶ୍ୱରର ସବୁ କ୍ୟାମ୍ପସରେ ଜିତିବୁ। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ହେବା ଦରକାର। ଯେଉଁମାନେ ଲିଙ୍ଗଡୋ କମିସନଙ୍କ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ହେଉନି। ବାଣୀବିହାରରେ ନିର୍ବାଚନ ସପକ୍ଷରେ ଛାତ୍ର କଂଗ୍ରେସ ରହିଛି।

 

ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଶ ପଣ୍ଡା କହିଛନ୍ତି ସବୁ କ୍ୟାମ୍ପସରେ ହୋଡିଂ ଲାଗିବ। ବିଜ୍ଞପ୍ତି ପ୍ରକାଶର ୩ ଦିନ ପୂର୍ବରୁ ତାରିଖ ଘୋଷଣା କରିବା ଆମମାନଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ତଥାପି ବିପର୍ଯ୍ୟସ୍ତଶିକ୍ଷା ବ୍ୟବସ୍ଥାକୁ ନେଇ ଆମେ ପିଲାଙ୍କ ନିକଟକୁ ଯିବୁ। ବାଣୀବିହାର ନିର୍ବାଚନ ବନ୍ଦ ନେଇ କୁଳାଧିପତିଙ୍କ ଦ୍ୱାରସ୍ଥ ହେବୁ।