ଓଡିଆ ଭାଷା ସୁରକ୍ଷା ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେଲେ ସରକାର : ଓଡ଼ିଆ ଭାଷା ଆୟୋଗ ଗଠନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି

61

କନକ ବ୍ୟୁରୋ :  ଦିନକୁ ଦିନ ଇଂରାଜୀ ଭାଷାର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ବଢ଼ିଚାଲିଥିବା ବେଳେ ଆଜି ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତିି ନେଇଛି । ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ନେଇଥିବା ବିଜେଡି ସରକାର, ଆଜି କ୍ୟାବିନେଟ୍ ବୈଠକରେ ଓଡ଼ିଆ ଭାଷା କମିଶନ ଗଠନ ପ୍ରସ୍ତାବ ଉପରେ ମୋହର ମାରିଛି । କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।

– ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ‘ଓଡ଼ିଆ ଭାଷା କମିଶନ’ ଗଠନ ହେବ
– ସରାକରୀ ଭାଷା ଆଇନର ଉଲଂଘନ କଲେ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ
-‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନାଁରେ ନୂଆ ବିଭାଗ ଗଠନ ହେବ
– ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ଐତିହ୍ୟ କ୍ୟାବିନେଟ ଗଠନ ହେବ
– ପ୍ରତି ୫ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ

ସେହିପରି ଓଡ଼ିଆ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ, ଏହି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ।
– ଓଡ଼ିଆରେ ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ପାଉଣା ଦେବାକୁ ପଡ଼ିବନି
– +୨ ଏବଂ +୩ରେ ଓଡ଼ିଆ ଭାଷାରେ ଅଧିକ ନମ୍ବର ରଖିଲେ ଛାତ୍ରବୃତ୍ତି ଦିଆଯିବ
-ଓଡ଼ିଆ ସାହିତ୍ୟରେ ପିଏଚ୍ଡି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ
– ପୁସ୍ତକ ମେଳା ଆୟୋଜନ, ପାଠାଗାର ଏବଂ ପ୍ରବାସୀ ଓଡ଼ିଆଙ୍କ ପାଇଁ ବ୍ୟବସ୍ଥା ହେବ

କିନ୍ତୁ ଏସବୁ ବଡ ବଡ ଘୋଷଣା ଭିତର ପ୍ରଶ୍ନ ଉଠୁଛି-ଏହା ଏହା କେବଳ ପ୍ରଚାରଧର୍ମୀ ହୋଇ ରହିଯିବନି ତ । କାରଣ, ଭାଷା ଆଇନ ଲାଗୁ ହେବା ପରେ ଉଲଂଘନକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏସବୁ ପ୍ରତିଶ୍ରୃତିର ଭାଗ୍ୟ କ’ଣ ହେବ ତାକୁ ନେଇ ବି ପ୍ରଶ୍ନ ଉଠୁଛି । ଭାଷା ଓ ସାହିତ୍ୟକୁ ନେଇ କ୍ୟାବିନେଟର ଏହି ନିଷ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ଭାଷା ପ୍ରୀତି ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଖିବାର କଥା, ଓଡ଼ିଆ ଭାଷା ଆଇନ୍ ଲାଗୁ ହେଲା ଭଳି ଓଡ଼ିଆ ଭାଷା କମିଶନ ଗଠନ କେବଳ ପ୍ରଚାରସର୍ବସ୍ୱ ହୋଇ ରହିଯାଉଛି ନା’ ପ୍ରକୃତରେ ଓଡ଼ିଆ ଭାଷାର ସୁରକ୍ଷା ଦିଗ କାର୍ଯ୍ୟକାରୀ ହେଉଛି ।