ଶ୍ରୀମନ୍ଦିର ଅଣହିନ୍ଦୁ ପ୍ରବେଶ ନେଇ ମତ ରଖିଲେ ଶଙ୍କରାଚାର୍ଯ୍ୟ ! କହିଲେ, ଏହା ସନାତନ ଶାସ୍ତ୍ରୀୟ ମର୍ଯ୍ୟାଦା ଉଲଂଘନ ।

33

କନକ ବ୍ୟୁରୋ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗ ନେଇ ବି ଆରମ୍ଭ ହୋଇଛି ବିତର୍କ । ଏହାକୁ ନେଇ ଜଗଦଗୁରୁ ଶଙ୍କାରାଚାର୍ଯ୍ୟ ଓ ପୁରୀ ଗଜପତି ଦିବ୍ୟସିଂହଦେବ ନିଜ ମତ ରଖିସାରିଛନ୍ତି । ଶଙ୍କରାଚାର୍ଯ୍ୟ କହିଛନ୍ତି ଶ୍ରୀମନ୍ଦିରରେ ପ୍ରବେଶ ସମ୍ପର୍କରେ ସନାତନ ଶାସ୍ତ୍ରୀୟ ମର୍ଯ୍ୟାଦା ଉଲ୍ଲଙ୍ଘନ ସ୍ୱୀକାରଯୋଗ୍ୟ ନୁହେଁ ।

ସେହିପରି ଗଜପତି କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାର ଏହା ଏକ ବୈଶିଷ୍ଟ୍ୟ ଯେ, ଶାସ୍ତ୍ର ବିଧାନ ଓ ପରମ୍ପରା ଅନୁସାରେ ଶ୍ରୀମନ୍ଦିରର ଦୁଇଟି ମୁଖ୍ୟ ପର୍ବ ରଥଯାତ୍ରା ଓ ସ୍ନାନଯାତ୍ରାରେ ବିଗ୍ରହମାନେ ବିଶ୍ୱର ସମସ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଶ୍ରୀମନ୍ଦିର ବାହାରକୁ ବିଜେ କରିଥାନ୍ତି । ଅଣହିନ୍ଦୁଙ୍କ ବର୍ଷବ୍ୟାପୀ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ମଧ୍ୟରେ ଶ୍ରୀ ଶ୍ରୀ ପତିତପାବନଙ୍କର ପ୍ରତିଷ୍ଠା ହୋଇଅଛି । ଶ୍ରୀମନ୍ଦିରର ରୀତୀନୀତି ତଥା ପ୍ରଚଳିତ ପରମ୍ପରା ସମ୍ପର୍କରେ କୌଣସି ପ୍ରଶ୍ନ ଉପୁଜିଲେ ଶାସ୍ତ୍ରୀୟ ସିଦ୍ଧାନ୍ତ ନିମନ୍ତେ ଶଙ୍କରାଚାଯ୍ୟ ର୍ ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କ ଉପଦେଶ ଗ୍ରହଣ କରାଯାଇଥାଏ । ଏହାଛଡା ଶ୍ରୀମନ୍ଦିର ପରମ୍ପରା ବିଷୟରେ ସେବକମାନଙ୍କ ମତାମତ ନେବା ଆବଶ୍ୟକ । ଏହି ପ୍ରସଙ୍ଗରେ ଜଗନ୍ନାଥପ୍ରେମୀ ଭକ୍ତମାନଙ୍କର ଭାବନାକୁ ମଧ୍ୟ ଦୃଷ୍ଟିରେ ରଖାଯିବା ବିଧେୟ । ଶାସ୍ତ୍ରୀୟ ବିଧାନ ଓ ପରମ୍ପରାକୁ ବାଦଦେଇ ଶ୍ରୀମନ୍ଦିରର କୌଣସି ରୀତୀନୀତିକୁ ପରିବର୍ତନ କରାଯିବା ସମୀଚୀନ ନୁହେଁ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ  ନିର୍ଦ୍ଦେଶ  ଉପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ବିଜୟ କହିଛନ୍ତି, ବର୍ତମାନ ପରିପ୍ରେକ୍ଷୀରେ  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା କଷ୍ଟକର ।  ବଂଶାନୁକ୍ରମିକ ସେବା ବନ୍ଦ କରିବା ବର୍ତମାନ ପାଇଁ ସମ୍ଭବ ନୁହେଁ । ଏଥିପାଇଁ ୧୯୫୨-ଶ୍ରୀମନ୍ଦିର ଆଇନରେ ସଂଶୋଧନ ହେବା ଦରକାର । ଜଗନ୍ନାଥଙ୍କ ସେବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟଙ୍କ ରାୟ ନା ଶ୍ରୀମନ୍ଦିର ଆଇନ କାହାକୁ ମାନିବ ତାକୁ ନେଇ ପ୍ରଶ୍ନ ଉଠିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ  ଏକ ସ୍ୱତନ୍ତ୍ର ବୈଠକ ଡକାଯାଇ ଆଲୋଚନା କରିବାକୁ ବିଜୟ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଏ ବାବଦରେ ସରକାର-ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ସହ ଗଜପତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ଦରକାର  । ଏଥିରେ ଶଙ୍କରାଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ସାମିଲ କରାଯାଉ । ଆମିକସ କ୍ୟୁରି ଓଡିଶା ଆସିଲେ ଶ୍ରୀମନ୍ଦିର ସଂସ୍କାର ସମ୍ବନ୍ଧିତ ପ୍ରସ୍ତାବ ସେ ଦେବେ ବୋଲି କହିଛନ୍ତି ବିଜେପି ନେତା । ସେ ଅଭିଯୋଗ କରିଛନ୍ତି, ଶ୍ରୀମନ୍ଦିରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ କରାଯାଉଛି ।

ଶ୍ରୀମନ୍ଦିର ପ୍ରସ୍ତାବ ନେଇ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ପ୍ରତିକ୍ର୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।ସୁପ୍ରିମକୋର୍ଟଙ୍କ ସଂପୂର୍ଣ୍ଣ କପି ହସ୍ତଗତ ହୋଇନି । କୋର୍ଟଙ୍କ ପ୍ରସ୍ତାବ ଉପରେ ବିଚାର ବିମର୍ଷ କରିବୁ ।ଆହୁରି ତର୍କ-ବତର୍କ ରହିବ । ଚୂଡାନ୍ତ ପ୍ରସ୍ତାବ ତର୍ଜମା କରି ସଂଶୋଧନ କରିବୁ ।ହିନ୍ଦୁ ଧର୍ମ ରୀତିନୀତି ନେଇ ପ୍ରସ୍ତାବ ରଖିବୁ । ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟରେ ପ୍ରସ୍ତାବ ରଖିବୁ ବୋଲି କହିଛନ୍ତି ପ୍ରତାପ ଜେନା ।