ଆକାଶପଥରେ ମୁହାଁମୁହିଁ ଧକ୍କା ହେଲା ଦୁଇ ବିମାନ, ଚାଲିଗଲା ୩ ପାଇଲଟଙ୍କ ଜୀବନ । ଦକ୍ଷିଣ କୋରିଆରୁ ଆସିଲା ଦୁଃଖଦ ଖବର ।

290

କନକ ବ୍ୟୁରୋ : ଦକ୍ଷିଣ କୋରିଆରେ ଆକାଶପଥରେ ବଡ ଦୁର୍ଘଟଣା । ଦକ୍ଷିଣ କୋରିଆ ବାୟୁସେନାର ଦୁଇ ବିମାନ ଟ୍ରେନିଂ ସମୟରେ ଆକାଶପଥରେ ଧକ୍କା ହୋଇଛନ୍ତି । ଆଉ ଏହି ଦୁର୍ଘଟଣାରେ ୩ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଦକ୍ଷିଣ କୋରିଆ ବାୟୁସେନାର ଦୁଇ ବିମାନ ଶୁକ୍ରବାର ଟ୍ରେନିଂ ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଯେଉଁଥିରେ ୩ ପାଇଲଟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଦୁର୍ଘଟଣା ପରେ ୩ ହେଲିକପ୍ଟର, ୨୦ଟି ଗାଡି ଓ ୧୨ରୁ ଅଧିକ ଜରୁରୀକାଳୀନ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ।

ଦକ୍ଷିଣ କୋରିଆ ବାୟୁସେନାର କେଟି-୧ ଟ୍ରେନିଂ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ସେତେବେଳେ ପାଇଲଟ କାହିଁକି ବିମାନ ତଳକୁ ଖସିପାରିନଥିଲେ ସେନେଇ ଯାଞ୍ଚ ଚାଲିଛି । କେଟି-୧ ବିମାନଟି ଦୁଇ ସିଟ ବିଶିଷ୍ଟ । ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ହେଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଏହାପୂର୍ବରୁ ଗତ ଜାନୁଆରୀରେ ଦକ୍ଷିଣ କୋରିଆର ଏଫ୍-୫ଇ ଫାଇଟର ବିମାନ ଧ୍ୱଂସ ହୋଇଥିଲା । ସେତେବେଳେ ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।