ଚାଲିଯାଇଛନ୍ତି ମନୋଜ, କିନ୍ତୁ ତାଙ୍କ ସ୍ମୃତିକୁ ମନେ ପକାଇ ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ ! ଦେଖନ୍ତୁ ସହିଦ ମନୋଜ ବେହେରାଙ୍କ ମୃତ୍ୟୁ ପୂର୍ବର ଭିଡିଓ ।

683

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡିଆ ମନୋଜ କୁମାର ବେହେରା ଓ ପ୍ରସନ୍ନ କୁମାର ସାହୁଙ୍କ ଗାଁରେ ଏବେ ଶୋକର ଛାୟା । ଦୁଇ ବୀର ଯବାନ ଛାଡିଯାଇଥିବା ଅଭୁଲା ସ୍ମୃତିକୁ ମନେ ପକାଉଛନ୍ତି ଗ୍ରାମବାସୀ । ଆସନ୍ତୁ ନଜର ପକାଇବା ସହିଦ ମନୋଜଙ୍କ କିଛି ଅଭୁଲା ସ୍ମୃତି ଉପରେ ।

ଦେଶ ପାଇଁ ଜୀବନ ଦେଇଥିବା ଏହି ବୀର ଯବାନ ମାନେ କିଛି ଏପରି କରିଯାଇଥାନ୍ତି ଯାହା ସେମାନଙ୍କୁ ସବୁଦିନ ପାଇଁ ଅମର କରିଦିଏ । ହେଲେ ଘର ପରିବାର ଓ ସାଙ୍ଗ ସାଥିମାନଙ୍କ ପାଇଁ କିଛି ଏମିତି ସ୍ମୃତି ଛାଡି ଚାଲିଯାଆନ୍ତି, ଯାହାକୁ ମନପକେଇ କେବଳ ଆଖିରୁ ଲୁହା ବୁହାଇବା ହିଁ ସାର ହୋଇଥାଏ । 

ତୁ ସବୁବେଳେ ଏମିତି ଖେଳୁଥିଲୁ, ହସୁଥିଲୁ ଆଉ ମୋ ଉପରକୁ ବାଲି ଫୋପାଡୁଥିଲୁ । ତୁ ରଙ୍ଗ ବି ଖେଳୁଥିଲୁ ଆଉ ମିଛି ମିଛିକା ମାରପିଟ । ହେଲେ ତୁ ଆଉ କେବେ ଫେରିବୁନି କିନ୍ତୁ ତୁ ସାରା ଦେଶ ପାଇଁ ଅମର ହୋଇ ରହିବୁ । ସହିଦ ମନୋଜ କୁମାର ବେହେରାଙ୍କ ଶରୀର ଜଳିଯାଇଛି ସତ, କିନ୍ତୁ ସେ ଅମର ହୋଇଛନ୍ତି । ଆଉ ତାଙ୍କ ସ୍ମୃତିକୁ ମନେ ପକାଇ ଝୁରୁଛନ୍ତି ସାଙ୍ଗସାଥୀ, ଝୁରୁଛି ତାଙ୍କ ଗାଁମାଟି । 

ସାଙ୍ଗ ସାଥିରେ କିଛି ଏମିତି ଖେଳୁଥିଲେ ସହିଦ ମନୋଜ ବେହେରା । ସମୁଦ୍ରକୂଳରେ ଲହରି ଆଉ ହାତରେ ବାଲିର ଗୋଳା । ସାଙ୍ଗ ଉପରକୁ ପକାଇ ମିଛି ମିଛିକା ମାରପିଟ ଖେଳ । କେତେବେଳେ ମନୋଜ ହାରୁଥିଲା, ସାଙ୍ଗ ଜିତୁଥିଲା ଆଉ କେତେବେଳେ ସାଙ୍ଗ ହାରୁଥିଲା ମନୋଜ ଜିତୁଥିଲା । ଏହି ଚିତ୍ରକୁ ଦେଖିଲେ କାଲି ପରିକା ମନେହେଉଛି । ହେଲେ ଆଜି ଏହା ଅତିତ ହୋଇଯାଇଛି । ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛି ମନୋଜ । ଆଉ ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।