ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଠକେଇ ଅଭିଯୋଗ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଡିନ୍ ଆର କେ ହୋତାଙ୍କୁ ଗିରଫ କଲା ପୋଲିସ

29

କନକ ବ୍ୟୁରୋ : ରାଜକୁମାର ହୋତା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ଲେସମେଂଟ୍ ସେଲ ମୁଖ୍ୟ । ଏହି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହେଉଛି, ୪୧୪ ଜଣ ଛାତ୍ରଛାତ୍ରୀଙ୍କୁ ନକଲି କନସଲଟାନ୍ସି ଏଜେନ୍ସି ଦ୍ୱାରା ନିଯୁକ୍ତି ନାଁରେ ଠକିଛନ୍ତି । ତିନି ଦିନର ଛକାଫଞ୍ଝା ପରେ ତାଂକୁ ଗିରଫ କରିଛି ପୋଲିସ । ଲାଗିଛି ସଂଗୀନ ଦଫା । ଆଇପିସିର ଧାରା ୪୨୦ ଅର୍ଥାତ ଠକେଇ, ୪୧୯ ଅର୍ଥାତ୍ ବ୍ୟକ୍ତିଗତ ଭାବେ ଠକିବା ଉଦ୍ୟମ କରିବା, ୪୬୮ ଅର୍ଥାତ୍ ଫର୍ଜରୀ, ୪୭୧ ଅର୍ଥାତ୍ ନକଲି ଦସ୍ତାବିଜକୁ ଅସଲି ଭାବେ ଉପସ୍ଥାପନ କରିବା ଏବଂ ଧାରା ୩୪ ଅର୍ଥାତ୍ ଠକେଇ କରିଥିବା ଗୋଷ୍ଠୀରେ ସାମିଲ ହେବା ।

ନିଯୁକ୍ତି ଦେବା ନାଁରେ ଠକାମୀର ଶିକାର ହୋଇଥିଲେ ୨୪ ଜଣ ଛାତ୍ରଛାତ୍ରୀ । ହାଇଦ୍ରାବାଦ କେଡିପ୍ଲଏ କମ୍ପାନୀ ପ୍ଲେସମେଂଟ ପାଇଁ ଆସିଥିଲା ସୋଆ ୟୁନିଭରସିଟି । ୨୪ ଜଣଙ୍କୁ ଅଫର ଲେଟର ବି ଦିଆଯାଇଥିଲା । ହେଲେ ପରେ ଜଣାପଡିଥିଲା ଏହା ଏକ ମିଛ ନିଯୁକ୍ତି । ଏନେଇ ଛାତ୍ରଛାତ୍ରୀ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଇଥିଲେ ବି ସେମାନଙ୍କୁ ଚୁପ୍ ରହିବାକୁ କୁହାଯାଇଥିଲା । ଆଜି ଥାନାରେ ଏହି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସେପଟେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଘନ ଘନ ବୈଠକ ବସୁଛି । ହେଲେ ସମାଧାନର ବାଟ ବାହାରି ପାରୁନି । ସାରାରାତି ଆମରଣ ଅନଶନରେ ବସିବା ପରେ ଆଜି ସମସ୍ୟାରା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ଭିସି । ହେଲେ ଆଲୋଚନା ବିଫଳ ହେଲା । ନିଯୁକ୍ତି ନାଁରେ ଠକେଇ । ସୋଆ ବିଶ୍ୱବିଦ୍ୟାଳୟର ଏହା ପ୍ରଥମ ଘଟଣା ନୁହେଁ । ଲଗାତର ତିନି ବର୍ଷ ହେଲା ଜାରି ରହିଛି ମିଛ ନିଯୁକ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –