ମାନସ ସ୍ୱାଇଁ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚର ଛାନଭିନ୍ ସତ୍ୱେ ମିଳୁନି ଚିପ୍ । ଅଭିଯୁକ୍ତ ଶର୍ମିଷ୍ଠା ଏବଂ ଝୁନାକୁ ଆଜି ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

117

କନକ ବ୍ୟୁରୋ : ରହସ୍ୟ ହୋଇ ରହିଯିବ କି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମୃତ୍ୟୁ ମାମଲା । କାରଣ କ୍ରାଇମବ୍ରାଞ୍ଚର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମେମୋରୀ ଚିପକୁ ନେଇ ସେମିତି କୌଣସି ଠୋସ୍ ପ୍ରମାଣ ମିଳିନି । ତେଣୁ ଏହି ଘଟଣାରେ ପଛରେ ଥିବା ବଡ ବଡିଆ ଖସିଯିବେ ବୋଲି କୁହାଯାଉଛି । ଏହି ମାମଲାରେ ଦୁଇ ଗିରଫ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ସହଯୋଗୀ ଝୁନାର ତିନି ଦିନିଆ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଛି । ଆଜି ଉଭୟଙ୍କୁ ଭଦ୍ରକ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ପୁଣିଥରେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବାକୁ ଆବେଦନ କରିନପାରେ ବୋଲି ଜଣାପଡିଛି ।
ତେବେ ଗତକାଲି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଯେ ମେମୋରି ଚିପ୍ ଫେରାଇବା ପାଇଁ ମାନଓ ୧୦ ହଜାର ଟଙ୍କା ମାଗୁଥିଲେ । ହେଲେ ଶର୍ମିଷ୍ଠା ଟଙ୍କା ଦେବାକୁ ମନା କରିଦେଇଥିଲେ । ଆଇ ଟଙ୍କା ନଦେଇ ମେମୋରି ଚିପ୍ ପାଇବା ଲାଗି ସମସ୍ତେ ମିଶି ମାନସଙ୍କୁ ପିଟିପିଟି ମାରିଦେଇଥିଲେ । ଚିପ୍ ଆଦାୟ ପାଇଁ ଏହି ଘଟଣାର ଅନ୍ୟତମ ଗିରଫ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କ ସହ ଶର୍ମିଷ୍ଠା ଆଲୋଚନା କରିଥିଲେ ବୋଲି ଝୁନା କହିଛି ।
ସେହିପରି ମାନସ ଶର୍ମିଷ୍ଠାଙ୍କ ୱେବ ପୋର୍ଟାଲର କ୍ୟାମେରା ମ୍ୟାନ ଥିଲେ । ସେ ଠିକ୍ ଭାବେ ଦରମା ପାଉଥିଲେ କି ନାହିଁ ସେ ନେଇ କୌଣସି ସୂଚନା ମିଳିନି । ଚାନ୍ଦବାଲିରୁ ଅପହରଣ ହେବା ବେଳେ ମାନସଙ୍କ ପାଖରେ ଦୁଇଟି କ୍ୟାମେରା ଏବଂ ଗୋଟିଏ ଲେନ୍ସ ଥିଲା । ଏହି ତିନୋଟି ଜିନିଷକୁ ପାଇବାରେ କ୍ରାଇମବ୍ରାଞ୍ଚ ଏବେ ବି ବିଫଳ ରହିଛି । ଭୁବନେଶ୍ୱରରୁ ଦୁଇଟି ଚିପ୍ ଖୋଜି ମଧ୍ୟ ନିରାଶ ହୋଇଛି ତଦନ୍ତକାରୀ ସଂସ୍ଥା ।