ଆଜି ରାଜ୍ୟ ବିଜେପି ସାଂସଦଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ସାଂସଦଙ୍କ ସହ ମୋଦୀ କରିବେ ଆଲୋଚନା 

196
କନକ ବ୍ୟୁରୋ : ଆଜି ଓଡିଶା ବିଜେପିର ସାଂସଦଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଭୟ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ୯ ଜଣ ସାଂସଦଙ୍କୁ ଆଜି ସକାଳ ୮ଟାରେ ପ୍ରଧାନମନ୍ତ୍ରୀଙ୍କ ୭ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ପହଂଚିବାକୁ କୁହାଯାଇଛି । ସକାଳ ୯ଟାରେ ବୈଠକ ଏବଂ ପରେ ଜଳଖିଆରେ ଏକାଠି ହେବେ ବୋଲି ଜଣାପଡିଛି ।
ରାଜ୍ୟ ବିଜେପିର ସାଂସଦଙ୍କ ସହିତ ମୋଦୀ ପ୍ରାୟ ଘଂଟାଏ ଧରି ବୈଠକ କରିବେ ବୋଲି ସୂଚନା ରହିଛି । ଆଉ ଏହି ବୈଠକରୁ ହିଁ ରାଜ୍ୟର ନବୀନ ସରକାର ପ୍ରତି କିଭଳି ଆଭିମୁଖ୍ୟ ରହିବ ତାହା ଜଣାପଡିବ ବୋଲି ସୂଚନା ରହିଛି । ବୈଠକର ମୋଦୀ ପଞ୍ଚାୟତ, ପୌର ଏବଂ ମହାନଗର ନିଗମ ନିର୍ବାଚନର ଫଳାଫଳ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅସଜଡା ରାଜ୍ୟ ବିଜେପିକୁ ଏହି ବୈଠକରୁ ସଜାଡିବାକୁ ଉଦ୍ୟମ ହେବ ବୋଲି ଜଣାପଡିଛି । ଏଥିସହ ରାଜ୍ୟ ସଂଗଠନକୁ ସକ୍ରିୟ କରିବାକୁ ମୋଦୀ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ରହିଛି ।
୧୭ ତମ ଲୋକସଭା କାଳରେ ଓଡିଆ ସାଂସଦଙ୍କୁ ତୃତୀୟ ଥର ପାଇଁ ମୋଦୀ ସକାଳ ଜଳଖିଆରେ ଡକାଇଛନ୍ତି । ଚଳିତ ବଜେଟ ଅଧିବେଶନ ଶେଷ ହେବ ପୂର୍ବରୁ ଦଳୀୟ ସାଂସଦଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ପ୍ରଧାନମନ୍ତ୍ରୀ ନିଜ ଆଡୁ ନିଷ୍ପତି ଗ୍ରହଣ କରିଛନ୍ତି । ଗତ କିଛି ଦିନ ଧରି ଦିଲ୍ଲୀରେ ରାଜ୍ୟ ବିଜେପି ନେତାଙ୍କ ଭିଡ ଜମୁଥିଲା । କିଛି ନେତା ବିଜେପି ସଭାପତି ଜେପି ନଡ୍ଡା ଏବଂ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ୁ ଭେଟିଥିଲେ ଆଉ ସାଂସଦ ଅପରାଜିତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ସେହିପରି ପ୍ରଥମ ଥର ପାଇଁ ରାଜ୍ୟ ବିଜେପିର ୨୦ ବିଧାୟକ ଦିଲ୍ଲୀରେ ଯାଇ ଡେରା ପକାଇଥିଲେ । ଯେଉଁଥିରୁ ଜଣାପଡୁଥିଲା ରାଜ୍ୟ ବିଜେପିରେ କିଛି ଠିକଠାକ ନାହିଁ ।