ବିଶ୍ୱାସଘାତର ପ୍ରତିଶୋଧ ନେବୁ, ଜାତୀୟସ୍ତରରେ ମହାମେଣ୍ଟ ଗଢିବୁ: ଶରଦ

51

କନକ ବ୍ୟୁରୋ: ଜେଡିୟୁର ବିଦ୍ରୋହୀ ନେତା ଶରଦ ଯାଦବ ରବିବାର ଆଗାମୀ ନିର୍ବାଚନରେ ମହାମେଣ୍ଟ ପାଇଁ ଇସାରା ଦେଇଛନ୍ତି । ଏହି ମହାମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଦ୍ୱାରା ଆହୂତ ଏକ ଜନସମାବେଶରେ ଯୋଗଦେଇ ଶରଦ ଏହି କଥା କହିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନାଁ ନ ନେଇ ଶରଦ କହିଛନ୍ତି ଯେ, ‘ବିହାରାରେ ମହାମେଣ୍ଟ ଭାଙ୍ଗିଗଲା ସତ । ଏଥିପାଇଁ ଯେଉଁମାନେ ଦାୟୀ ସେମାନେ ଜାଣିରଖନ୍ତୁ ଏବେ ରାଜ୍ୟସ୍ତରୀୟ ନୁହେଁ ବରଂ ରାଷ୍ଟ୍ରୀୟ ଭାବେ ଏକ ମହାମେଣ୍ଟ ଗଠନ ହେବାକୁ ଯାଉଛି । ବିହାରରେ ଜେଡିୟୁ, ଆରଜେଡି ଓ କଂଗ୍ରେସର ଯେଉଁ ମହାମେଣ୍ଟ ଭାଙ୍ଗି ଦିଆଗଲା, ତାହା ରାଜ୍ୟବାସୀଙ୍କ ଲାଗି ବିଶ୍ୱାସଘାତକତା ଥିଲା । ଏଣୁ ଆଗାମୀ ଦିନରେ ଆମେ ଜାତୀୟ ସ୍ତରରେ ଏକ ମହାମେଣ୍ଟ ଗଢି ଏହି ବିଶ୍ୱାସଘାତର ପ୍ରତିଶୋଧ ନେବୁ’ । ଦେଶର କୋଣ ଅନୁକୋଣକୁ ଯାଇ ମହାମେଣ୍ଟ ଗଢିବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା କରିବେ ବୋଲି ସେ ଚେତାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମ ଥର ଲାଗି ଲାଲୁ ଓ ଶରଦଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ମଞ୍ଚ ଉପରେ ଲାଲୁ ଶରଦଙ୍କୁ କୋଳାଗ୍ରତ କରୁଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାର୍ଜୀ, ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରମୁଖ ଏହି ରାଲିରେ ଉପସ୍ଥିତ ଥିଲେ ।