ପରିତ୍ୟକ୍ତା ପତ୍ନୀଙ୍କୁ ମାସିକ ୪ ଲକ୍ଷ ଟଙ୍କା ସହ ବାର୍ଷିକ ରୋଜଗାରର ୧୫ ପ୍ରତିଶତ ଅର୍ଥ ଦେବେ ସ୍ୱାମୀ

30

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଜଣେ କୋଟିପତି ସ୍ୱାମୀଙ୍କୁ ତାଙ୍କ ପରିତ୍ୟକ୍ତା ସ୍ତ୍ରୀର ଭରଣପୋଷଣ ପାଇଁ ମାସିକ ୪ ଲକ୍ଷ ଟଙ୍କା ସହ ବାର୍ଷିକ ରୋଜଗାରର ୧୫ ପ୍ରତିଶତ ପତ୍ନୀଙ୍କ ନାମରେ ଜମା କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଳେଖଯୋଗ୍ୟ, ବ୍ୟକ୍ତି ଜଣକ ବ୍ୟବସାୟ କ୍ଷେତ୍ରରେ ଜଣେ ‘ସୁପରରିଚ୍’ ବ୍ୟକ୍ତିତ୍ୱ ଭାବେ ପରିଚିତ । ତାଙ୍କ ସଂପୂର୍ଣ୍ଣ ବ୍ୟବସାୟ ଫାର୍ମା ଦାମ ୧,୦୦୦ କୋଟି ବୋଲି ଆକଳନ କରାଯାଇଛି । ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ତାଙ୍କର ଏକ ମାତ୍ର କନ୍ୟା ମଧ୍ୟ ରହୁଛନ୍ତି ।

ସୂଚନାଯୋଗ୍ୟ, ବ୍ୟବସାୟୀଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ ଯେ ୨୦୦୮ ମସିହାରେ ତାଙ୍କୁ ତାଙ୍କ ଶ୍ୱଶୂରଘର ଲୋକେ ତଡ଼ି ଦେଇଥିଲେ । ସେ ତାଙ୍କର ଭରଣପୋଷଣ ପାଇଁ କୋର୍ଟରେ ଏକ ଆବେଦନ କରିଥିଲେ । ତାଙ୍କର ସେହି ଆବେଦନର ଶୁଣାଣି ହେବା ପୂର୍ବରୁ ୨୦୧୧ ମସିହାରେ ମହିଳାଙ୍କ ସ୍ୱାମୀ ବିବାହ ବିଚ୍ଛେଦ ନେଇ ଏକ ଆବେଦନ କରିଥିଲେ । ସେହି ବର୍ଷ ଅଗଷ୍ଟ ୪ ତାରିଖରେ ମହିଳା ଟ୍ରାଏଲ୍ କୋର୍ଟରେ ପୁଣି ଥରେ ଆବେଦନ କରିଥିଲେ । ୨୦୧୩ ମସିହାରେ ମାଜିଷ୍ଟ୍ରେଟ୍ କୋର୍ଟ ମହିଳାଙ୍କ ଭରଣପୋଷଣ ପାଇଁ ତାଙ୍କ ସ୍ୱାମୀଙ୍କୁ ୧.୨୫ ଲକ୍ଷ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୪ ମସିହାରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ମାତ୍ର ସୁପ୍ରିମକୋର୍ଟ ଏହାକୁ ପୁଣି ଥରେ ଟ୍ରାଏଲକୋର୍ଟକୁ ପଠାଇ ଦେଇଥିଲେ ।

ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଠାରୁ ମାସିକ ୭ ଲକ୍ଷ ଦାବି କରିଥିବା ବେଳେ ଉକ୍ତ ବ୍ୟକ୍ତ ଜଣକ ଜଣାଇଛନ୍ତି ଯେ, ସେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରନ୍ତି । ମାତ୍ର ତାଙ୍କର ମାସିକ ଦରମା ମାତ୍ର ୯୦,୦୦୦ । ଉଲ୍ଲେଖଯୋଗ୍ୟ, ୨୦୧୦ ମସିହାରେ ବ୍ୟବସାୟୀ ଜଣକ ‘ସୁପର୍ ରିଚ୍ ବିଜ୍ନେସମ୍ୟାନ୍’ ବୋଲି ଏକ ପତ୍ରିକାରେ ପ୍ରକାଶ ପାଇଥିବା ବେଳେ ତାଙ୍କ ବ୍ୟକ୍ତିଗତ ଘର କୌଣସି ପଞ୍ଚତାରିକା ଘରଠାରୁ କମ୍ ନୁହେଁ ବୋଲି ସୂଚନା ରହିଛି ।