ଶ୍ରୀନଗରରେ ବର୍ଷର ପ୍ରଥମ ହିମପାତ : ଧଳା ଚାଦରରେ ଘୋଡେଇ ହୋଇ ରହିଛି ସହର; ରାସ୍ତା ଉପରେ ବରଫର ଆସ୍ତରଣ

116

କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ଉତର ଭାରତ । ଦେଶର ଉତର ଭାଗରେ ରହିଥିବା ରାଜ୍ୟ ଗୁଡିକରେ ଏବେ ଜାରି ରହିଛି ଶୀତ ଲହରି । ଜାମ୍ମୁକାଶ୍ମୀରରୁ ଆସିଛି ବରଫପାତର ଚିତ୍ର । ଶ୍ରୀନଗରରେ ବର୍ଷର ପ୍ରଥମ ବଡଧରଣର ହିମପାତ ହୋଇଛି । ଗତ ୨୪ ଘଂଟା ଧରି ଶ୍ରୀନଗରରେ ପ୍ରବଳ ତୁଷାରପାତ ଫଳରେ ପୁରା ଶ୍ରୀନଗର ସହର ବରଫ ଚାଦରରେ ଘୋଡେଇ ହୋଇଗଲାଣିି । ରାସ୍ତା ଉପରେ ଥିବା ଗାଡି ମୋଟର ଉପରେ ବରଫର ବହଳିଆ ଆସ୍ତରଣ ଚଢି ଯାଇଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ରାସ୍ତା ଉପରେ ଫୁଟେ ଉଚ୍ଚର ବହଳିଆ ବରଫ ଜମି ଯାଇଛି ।

କିଛି ସ୍ଥାନରେ ଲୋକେ ବରଫ ହଟାଉଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ବରଫ, ଘର ଛାତ ଉପରେ ବରଫ, ଘରର କାନ୍ଥରେ ବି ଲାଖି ରହିଛି ବରଫ । ବିଜୁଳି ଖୁଂଟରୁ ନେଇ ପାଣି ପାଇପ୍, ଗଛ ଲତା ସବୁ କିଛି ଉପରେ ଧୋବ ଫର ଫର ବହଳିଆ ବରଫ ଆସ୍ତରଣ ଚଢିଯିବା ପରେ ପ୍ରକୃତି ଅପରୂପ ସୌନ୍ଦର୍ଯ୍ୟ ଧାରଣ କରିଛି । ଜାମ୍ମୁକାଶ୍ମୀରରେ ଥିବା ପର୍ଯ୍ୟଟକ ଏବେ ଏହି ବରଫ ପାତର ଖୁବ୍ ମଜା ନେଉଛନ୍ତି । ସେପଟେ ପ୍ରବଳ ବରଫପାତ ପରେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଛି । ରାସ୍ତାରେ ବରଫ ଜମି ରହିବା କାରଣରୁ ଗମନାଗମନ ଠପ୍ ହୋଇଛି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ସହିତ ସେନା ବରଫ ହଟାଉଥିବା ଚିତ୍ର ସାମ୍ନାକୁ ଆସିଛି ।