ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ସାମ୍ବାଦିକ ସମ୍ମିଳନୀ । ଚାଷୀ ଠାରୁ ଚିଟଫଣ୍ଡ, ପରୀ ଠାରୁ ପ୍ରଦୀପ ପାଣିଗ୍ରାହୀଙ୍କ ପର୍ଯ୍ୟନ୍ତ ରାଜ୍ୟସରକାରଙ୍କୁ କଲେ ଟାର୍ଗେଟ୍

90

କନକ ବ୍ୟୁରୋ:ଓଡିଶା ଗସ୍ତରେ ଆସିଥିବା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି ରାଜ୍ୟସରକାରଙ୍କ ପ୍ରତିଶୃତି । ସବୁର କଡା ଗଣ୍ଡା ହିସାବ ମାଗିଛନ୍ତି ବିଜେପି ପ୍ରଭାରୀ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ । ସେ ଓଡିଶାରେ ବିଜେଡି ୨୦ ବର୍ଷ ଧରି ସୁଶାସନ ନାମରେ କୁଶାସନ ଚଳାଇଥିବା ସେ କହିଛନ୍ତି ।

ସେ କହିଛନ୍ତି କି ରାଜ୍ୟ ସରକାର ଗରିବ ଲୋକମାନଙ୍କର ମଙ୍ଗଳ ଚାହୁଁ ନାହାନ୍ତି । ରାଜ୍ୟସରକାର ଯଦି ଗରିବଙ୍କ ମଙ୍ଗଳ ଚାହୁଁଥାନ୍ତେ ତାହେଲେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରିଥା’ନ୍ତେ । ଅନ୍ୟପଟେ ରାଜ୍ୟସରକାର ୧୦ ବର୍ଷ ହେବ ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଚାଲିଥିବା ବେଳେ ଆଜି ଯାଏ ସରକାର କେତେ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଂଚାଇଛନ୍ତି ତାହା କେବଳ ରାଜ୍ୟବାସୀ କହିବେ । ରାଜ୍ୟରେ ଏବେ ଯାଏ ୧୨୫୦ ଗ୍ରାମରେ ନଳକୂପର ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ ।

ଏହାସହ ରାଜ୍ୟ ସରକାର ୨୦୧୪ ମସିହାରେ ରାଜ୍ୟର ସମସ୍ତ ଗରିବ ପରିବାରକୁ ଯେଉଁ ପକ୍କାଘର ଦେବାକୁ ପ୍ରତିଶୃତି ଦେଇଥିଲେ ତାହା ୨୦୧୯ ସୁଦ୍ଧା ତାହା ପୂରଣ ହୋଇପାରିଲା ନାହିଁ । ଗ୍ରାମାଞ୍ଚଳରେ ପାଖା ପାଖି ୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପକ୍କାଘର ଯୋଗାଇବାରେ ରାଜ୍ୟସରକାର ବିଫଳ ହୋଇଛନ୍ତି । କୃଷି ସମସ୍ୟା ନେଇ ବି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଥିଲେ କି କୃଷକ ମାନଙ୍କର ମଙ୍ଗଳ ପାଇଁ କେନ୍ଦ୍ର ସରକାର ନୂଆ କୃଷିବିଲ୍ ଆଣିଛନ୍ତି ଯାହାକି କୃଷକ ମାନଙ୍କର ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବ । ହେଲେ ରାଜ୍ୟ ସରକାର ଭୋଟ ବ୍ୟାଙ୍କ ଲୋଭରେ ଏଠି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ଯୋଜନାରେ ପ୍ରତିବର୍ଷ କୃଷକ ମାନଙ୍କ ଖାତାକୁ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ରାଜ୍ୟ ସରକାର ନିର୍ବାଚନ ସମୟରେ ଚାଷୀ ମାନଙ୍କ ଭୋଟ ହାତେଇବାକୁ ଯେଉଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ତାହା ଏବେ ବଳବତ୍ତର ରହିଛି କି ? ଏହି ଯୋଜନା ରେ କୃଷକ ମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ରାଜ୍ୟସରକାର ତାଙ୍କ ଶାସନ କାଳରେ କେତେ ହେକ୍ଟର ଜମିକୁ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି ତାହାର ହିସାବ ମାଗିଛନ୍ତି ଓଡିଶା ପ୍ରଭାରୀ । ଆଇନ ଶୃଙ୍ଖଳାକୁ ନେଇ ବି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ମହିଳା ମାନଙ୍କ ଉପରେ ଯେଭଳି ଅତ୍ୟାଚାର ଚାଲିଛି । ମହିଳା ଓ ଶିଶୁ ମାନେ ଯେଭଳି ନିଖୋଜ ହୋଇଯାଉଛନ୍ତି ସେଥିରୁ ରାଜ୍ୟସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ପଦାରେ ପଡିଛି । ଅନ୍ୟପଟେ ନୟାଗଡର ପରି ହତ୍ୟାକାଣ୍ଡକୁ ନେଇ ସେ କହିଥିଲେ କି ରାଜ୍ୟର ୪.୫ କୋଟି ଲୋକଙ୍କ ଭିତରେ କ’ଣ ପରୀର ବାପା ମା ନୁହନ୍ତି କି । ଏହା ସହ ଏହି ମାମଲାରେ କୃଷି ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ବି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଏହି ମାମଲାରେ ସିଧା ସଳଖ ଅରୁଣ ସାହୁଙ୍କ ସହଯୋଗ ରହିଛି । ହତ୍ୟାକାରୀକୁ ଅରୁଣ ସାହୁ ସୁରକ୍ଷା ଦେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି । ଏନେଇ ନବୀନ ପଟ୍ଟନାୟକଙ୍କୁ ଜବାବ୍ ଦେବାକୁ ହେବ ।

ଅନ୍ୟପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଥା ବି କହିଛନ୍ତି ପୁରନ୍ଦେଶ୍ୱରୀ । ସେ କହିଥିଲେ କି ରାଜ୍ୟସରକାରଙ୍କ ବିଧାୟକ ଥିବା ବେଳେ ଶହ ଶହ କୋଟି ଟଙ୍କାର ସଂପତ୍ତି ଠୁଳ କରିବା ଓ ଜଣେ ଲାଂଚଖୋର ଅଫିସର ଓ ତାଙ୍କ ପୁଅକୁ ସହାୟତା ଦେବା ଭଳି ଘଟଣା କେବେ ବି ରାଜ୍ୟସରକାରଙ୍କ ବିନା ସହଯୋଗରେ ହୋଇପାରିବ ନାହିଁ । ଚିଟଫଣ୍ଡ ବାବଦରେ ରାମଚନ୍ଦ୍ର ହାଂସଦା , କୋ-ଅପରେଟିଭ୍ ସ୍କାମରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଥା ବି ଉଠାଇଥିଲେ ଓଡିଶା ପ୍ରଭାରୀ ।
ପୁରନ୍ଦେଶ୍ୱରୀ ରାଜ୍ୟସରକାରଙ୍କ ବିରୋଧରେ ଏତେ ଗୁଡିଏ ସଂଗୀନ ଅଭିଯୋଗ ଆଣିଥିଲେ ବି ରାଜ୍ୟସରକାରଙ୍କ ପକ୍ଷରୁ ଏହା ଉପରେ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।