ଭାରତର ୭୦୦ରୁ ଅଧିକ ଜିଲ୍ଲାର ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡାଯିବ: ଧର୍ମେନ୍ଦ୍ର ପ୍ରଧାନ

59

କନକ ବ୍ୟୁରୋ: ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ । ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଏ ସମ୍ପର୍କୀତ ବୈଠକରେ ଯୋଗଦେବା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦିଗରେ କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ୍ ପରମାଣିକ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ୟୁନିସ୍କୋ, ଏଆଇଏଫଏଫର ସଭାପତି କଲ୍ୟାଣ ଚୌବେ, ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆସନ୍ତାକାଲି ଠାରୁ ଦେଶରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଅନୁଷ୍ଠିତ ହେବା ଖୁସିର ବିଷୟ । ଦେଶରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଓ ଛାତ୍ରଛାତ୍ରୀଙ୍କୁ ଫିଟ୍ ରଖିବା ଦିଗରେ ଭାରତ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏ ଦିଗରେ ଫିଫା, ୟୁନିସ୍କୋ ଓ ଏଆଇଏଫଏଫ ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲର ବ୍ୟାପକ ନେଟଓ୍ୱାର୍କକୁ ଦୃଷ୍ଟିରେ ରଖି ଦେଶରେ ଥିବା ୭୦୦ରୁ ଉର୍ଦ୍ଧ୍ୱ ଜିଲ୍ଲାକୁ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ୟ୍ୟକ୍ରମରେ ଯୋଡ଼ିବା ପାଇଁ ନିଷ୍ପତି ନିଆଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନବୋଦୟ ବିଦ୍ୟାଳୟ ସଂଗଠନ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ କାର୍ୟ୍ୟକାରୀ କରିବା ଦିଗରେ ମୁଖ୍ୟ କେନ୍ଦ୍ର ଭାବରେ କାର୍ୟ୍ୟ କରିବ । ଫିଫା, ଏଆଇଏଫଏଫ ଓ ୟୁନିସ୍କୋ ଦେଶର ୧୦ ହଜାର ସ୍କୁଲକୁ ୧୦୦ ଲେଖାଁଏ ଫୁଟବଲ ଯୋଗାଇ ଦେବ । ଜାତୀୟ ଶିକ୍ଷା ନୀତି -୨୦୨୦ର ଉଦ୍ଦେଶ୍ୟକୁ ଫୁଟବଲ୍ ଫର୍ ସ୍କୁଲ କାର୍ୟ୍ୟକ୍ରମକୁ ସହାୟକ ହେବା ସହ କ୍ରୀଡ଼ା ଆଧାରିତ ପାଠପଢ଼ାକୁ ପ୍ରୋତ୍ସାହନ ଦିଆଯିବ । ଏହି ପଦକ୍ଷେପ ଦେଶରେ କ୍ରୀଡ଼ା ସଂସ୍କୃତିକୁ ଗତି ଦେବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶ କରାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଭାରତ କ୍ରୀଡ଼ାର ମହାଶକ୍ତି ହେବା ସହ ଫିଟ୍ ଇଣ୍ଡିଆକୁ ସୁନିଶ୍ଚିତ କରି ବିକଶିତ ଭାରତ ଗଢ଼ିବାରେ ଶିକ୍ଷା ମନ୍ତ୍ରଣାଳୟ, ଯୁବ  ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଏଆଇଏଫ୍ଏଫ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ଫୁଟବଲକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ,ସ୍କୁଲ ସ୍ତରରେ ଫୁଟବଲକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ନେଉଥିବାରୁ ଭାରତ ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଫିଫାର ସେକ୍ରେଟାରୀ ଜେନେରାଲ ଧନ୍ୟବାଦ ଜଣାଇଛନ୍ତି । ସେହିପରି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ସ୍ତରରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କ୍ରୀଡା ରାଷ୍ଟ୍ରମନ୍ତ୍ରୀ ପରମାଣିକ ପ୍ରେସମିଟରେ କହିଥିଲେ ।