ମମତାଙ୍କ ବିକଳ୍ପ ମଞ୍ଚରେ ଯୋଗଦେବେ ଅଖିଳେଶ , କଂଗ୍ରେସକୁ ନେଇ କହିଲେ ଏଭଳି କଥା

138

କନକ ବ୍ୟୁରୋ : ଜାତୀୟ ରାଜନୀତରେ ବଢୁଛି ମମତାଙ୍କ ଦବଦବା । ମହାରାଷ୍ଟ୍ର ପରେ ଏବେ ୟୁପିରେ ବି ମମତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକ ସଭାରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ବୟାନ ଏବେ ରାଜନୀତିକୁ ସରଗରମ କରିଛି । ଏକ ସଭାରେ ଅଖିଳେଶ କହିଛନ୍ତି କି ତୃଣମୂଳ କଂଗ୍ରେସ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଗଠନ ହେବାକୁ ଯାଉଥିବା ବିକଳ୍ପ ମୋର୍ଚ୍ଚାରେ ସମାଜବାଦୀ ପାର୍ଟି ଯୋଗ ଦେଇପାରେ । ଆଗାମୀ ବର୍ଷ ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଏକ ମେଣ୍ଟ ପ୍ରସ୍ତୁତ କରି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଅଖିଳେଶ ଯାଦବ ।

ବୁନ୍ଦେଲଖଣ୍ଡ ଝାନସୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଛନ୍ତି କି, “ମୁଁ ମମତାଙ୍କୁ ସ୍ୱାଗତ କରୁଛି, ସେ ଯେଭଳି ଭାବେ ପଶ୍ଚିମବଙ୍ଗରେ ବିଜେପିକୁ ସଫା କରିଦେଲେ ୟୁପି ଭୋଟର ବି ସେହିଭଳି ବିଜେପିକୁ ସଫା କରିଦେବେ” ଅନ୍ୟପଟେ ମମତା ଯେଉଁ ବକଳ୍ପ ମଞ୍ଚର ସ୍ୱପ୍ନ ଦେଖୁଛନ୍ତି ତାହା ବାବଦରେ ଅଖିଳେଶ କହିଛନ୍ତି ଯେ ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ କଂଗ୍ରେସ ବାବଦରେ ଅଖିଳେଶ କହିଛନ୍ତି କି ଲୋକେ କଂଗ୍ରେସକୁ ଆଉ ଭୋଟ ଦେବେ ନାହିଁ , ଆଗାମୀ ୟୁପି ନିର୍ବାଚନରେ କଂଗ୍ରେସକୁ ଶୂନ୍ୟ ଆସନ ମିଳିବ ବୋଲି ଅଖିଳେଶ ଦାବି କରିଛନ୍ତି ।

ଏହାସହ ପୂର୍ବାଞ୍ଚଳ ଏକ୍ସପ୍ରେସ ରାଜପଥକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଅଖିଳେଶ । ସେ କହିଛନ୍ତି କି ସମାଜବାଦୀ ପାର୍ଟି ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପ ଉଦଘାଟନ କରି ବିଜେପି ଶ୍ରେୟ ନେବାକୁ ଚେଷ୍ଟା କରୁଛି ।