ଜେଲ ଗଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ : ଏଯାଏଁ ୩ କୋଟି ୧୩ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତି ଠାବ

73

କନକ ବ୍ୟରୋ : ଜେଲ ଗଲେ କୋଟିପତି ଯନ୍ତ୍ରୀ । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଆରଡବ୍ଲୁଏସ୍ଏସ୍ ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ୨ ଦିନ ଧରି ଚଢ଼ାଉ ଚଳାଇଥିଲା ଭିଜିଲାନ୍ସ । ଭୁବନେଶ୍ୱର ଘର ସମେତ ଢେଙ୍କାନାଳ, ଅନୁଗୁଳର ୮ଟି ଜାଗାରେ ଚଢ଼ାଉ ହୋଇଥିଲା । ଗିରଫ ପରେ ତାଙ୍କୁ ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

୨୧ରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ । ବିଜୟାନନ୍ଦଙ୍କ ଠାରୁ ଏଯାଏଁ ୩ କୋଟି ୧୩ ଲକ୍ଷ ୭୬ ହଜାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଛି । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ତାଙ୍କର ଆୟ ଠାରୁ ୨୨୧ ପ୍ରତିଶତ ଅଧିକ ସମ୍ପତି ରହିଛି । ଭୁବନେଶ୍ୱର ଆସିବା ପୂର୍ବରୁ ଢେଙ୍କାନାଳ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ପଦୋନ୍ନତି ପାଇବା ପରେ ସେ ଭୁବନେଶ୍ୱର ମୁଖ୍ୟାଳୟକୁ ଆସିଥିଲେ ।

ଚଢ଼ଉ ବେଳେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ଆଇଗିଣିଆରେ ୩ହଜାର ବର୍ଗଫୁଟରୁ ଅଧିକ ଜମିରେ ନିର୍ମିତ ୩ମହଲା କୋଠା ଠାବ କରିଛି । ଯାହାର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ । ସେହିପରି ଅନୁଗୁଳରେ ଥିବା ଏକ ଦୁଇ ମହଲା କୋଠା, ଢେଙ୍କାନାଳରେ ଦୁଇ ମହଲା କୋଠା ଠାବ କରାଯାଇଥିଲା । ଦୁଇଟି କୋଠାର ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ । ଏହାଛଡ଼ା ରାଜଧାନୀ, ଅନୁଗୁଳ ଏବଂ ଢେଙ୍କାନାଳ ପ୍ରମୁଖ ସ୍ଥାନରେ ୧୪ଟି ପ୍ଲଟ ରହିଛି । ତେବେ ୬ଟି ପ୍ଲଟ ଶାଳୀଙ୍କ ନାମରେ ଥିବା ବେଳେ ୫ଟି ପ୍ଲଟ ଶଳାଙ୍କ ନାମରେ ରହିଛି । ଯାହାର ମୂଲ୍ୟ ଅଧ କୋଟିରୁ ଅଧିକ ହେବ । ତାଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଠାବ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ, ପୋଷ୍ଟାଲ ଏବଂ ଇନ୍ସ୍ୟୁରାନ୍ସ ଜମା ମିଶି ପାଖାପାଖି ୪୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଏଣେ ତାଙ୍କ ଘରୁ ନଗଦ ୧ ଲକ୍ଷ ୮୦ହଜାର ଟଙ୍କା, ୨୩୭ ଗ୍ରାମର ସୁନାଗହଣା, ଦାମୀ ଆସବାବପତ୍ର, ଗୋଟିଏ ଚାରିଚକିଆ ଗାଡ଼ି ଆଦି ଜବତ ହୋଇଛି । ନାଲକୋ ଅଞ୍ଚଳରେ ଥିବା ଜ୍ବାଇଁଙ୍କ ଘରେ ବି ଯାଞ୍ଚ କରିଛନ୍ତି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ବିଭାଗର ୫ ଜଣ ଡିଏସ୍ପିଙ୍କ ନେତୃତ୍ବରେ ୧୪ଜଣ ଇନ୍ସପେକ୍ଟର, ୨୮ ଜଣ ସବ୍ ଇନ୍ସପେକ୍ଟର ଓ ଜଣ ଏଏସ୍ଆଇ ଏହି ଚଢ଼ଉରେ ସାମିଲ ହୋଇଥିଲେ ।