ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ? ମହାରଥୀଙ୍କ ପୁଅ କହିଲେ ଦଳର ନିଷ୍ପତ୍ତିକୁ ସମର୍ଥନ କରିବୁ, ପ୍ରାର୍ଥୀ ନେଇ ଏଯାଏଁ ପରିବାର ଭିତରେ ହୋଇନି ଆଲୋଚନା । 

196

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ବିଜେଡିର ସଜବାଜ ।  ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ପିପିଲି ରାଜନୀତିର ପାରା ଉପରକୁ ଚଢିଛି । ଆଉ ଏସବୁ ଭିତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲି ପାଇଁ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ସାମ୍ନାକୁ ଅଣାଯାଇନଥିବା ବେଳେ ରୁଦ୍ର କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ । ଏପରିକି ପ୍ରାର୍ଥୀ କିଏ ହେବ ସେନେଇ ଆମ ପରିବାର ଭିତରେ କୌଣସି ଆଲୋଚନା ହୋଇନଥିବା ବେଳେ ଦଳର ନିଷ୍ପତ୍ତିକୁ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ରୁଦ୍ର । 

ପ୍ରଦୀପଙ୍କ ଦେହାନ୍ତ ପରେ ପିପିଲିରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସ ଜାରି ରହିଛି । ଏପରିକି ଦଳ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସଂକେତ ମିଳିନାହିଁ । ତେବେ ବିଜେଡି ଟିକେଟ ପାଇଁ ପୁଅ ରୁଦ୍ର ଆଶାୟୀ କି ନୁହେଁ ପ୍ରଶ୍ନରେ ରୁଦ୍ର କହିଛନ୍ତି, ଦଳ ପକ୍ଷରୁ ଏଯାଏଁ ଡାକି ଆଲୋଚନା କରାଯାଇନାହିଁ କି ମୁଁ ମଧ୍ୟ କୌଣସି ନିଷ୍ପତ୍ତି ନେଇନାହିଁ । ମୁଁ ମାଟି ପାଇଁ କାମ କରୁଥିଲି କରିବି । ଟିକେଟ ଆଶାରେ କେବେ ମୁଁ ମାଟି ପାଇଁ କାମ କରିନାହିଁ । ପାର୍ଟି ଡାକି ଆଲୋଚନା କଲେ ଆଗକୁ ବଢିବୁ । 

ମହାରଥୀଙ୍କ ଦେହାନ୍ତ ପରେ ପିପିଲି ବିଜେଡି ସଙ୍ଗଠନ ଦୁଇ ଭାଗ ହୋଇଯାଇଛି । ଗୋଟିଏ ଗୋଷ୍ଠୀ ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ପତ୍ନୀ ପ୍ରତିଭା ମହାରଥୀଙ୍କ ସପକ୍ଷରେ ଲବି କରୁଛନ୍ତି । ଏଭଳି ସ୍ଥଳେ ଦଳ କାହାକୁ ପ୍ରାର୍ଥୀ କଲେ ପିପିଲି ଗଡ ବଞ୍ଚାଇପାରିବ ସେନେଇ ଅଙ୍କ କଷୁଛି । ଏପରିକି ଟିକେଟ ପାଇଁ ମା ଓ ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ନେଇ ସୋସିଆଲ ମିଡ଼ିଆରେ ଖବର ସାମ୍ନାକୁ ଆସୁଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୁଅ ରୁଦ୍ର ପ୍ରତାପ । ପ୍ରାର୍ଥୀ କିଏ ହେବ ସେନେଇ ମୋ ଓ ମାଙ୍କ ମଧ୍ୟରେ ଆଲୋଚନା ହୋଇନାହିଁ, ଏପରିକି ବିବାଦ ମଧ୍ୟ ନାହିଁ । ଫାଇଦା ଉଠାଇବାକୁ ବିରୋଧୀ ଏଭଳି ଅପପ୍ରଚାର କରୁଛନ୍ତି । ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ ଓ ପ୍ରାର୍ଥୀ କଲେ ସମର୍ଥନ କରିବୁ ବୋଲି କହିଛନ୍ତି ରୁଦ୍ର । ଏସବୁ ଭିତରେ ବିଜେଡି ମହାରଥୀ ପରିବାରରୁ କାହାକୁ ପ୍ରାର୍ଥୀ କରୁଛି ନା ନୂଆ ମୁହଁ ସାମ୍ନାକୁ ଆଣୁଛି ତାହା ଦେଖିବା ବାକି ରହିଲା ।