କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ । କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଗିରଫ ପରେ ପୋଲିସ ଏନେଇ ବିଧିବଦ୍ଧ ସୂଚନା ଦେବ।

ଝରାଫୁଲଙ୍କ ଘର ମୟୁରଭଂଜରେ । ଭୁବନେଶ୍ୱରେ ରହୁଥିବା ବେଳେ ଯାଜପୁରରୁ ଉଦ୍ଧାର ହୋଇଥିଲା ମୃତଦେହ । ୨ଜଣ ଯୁବକ ଏକ ଲାଲ ରଙ୍ଗର ସ୍କୁଟରରେ ତାଙ୍କ ମରଶରୀରକୁ ରଖି ଯାଜପୁର ରାସ୍ତାରେ ଫିଙ୍ଗି ଦେଇ ଚାଲି ଯାଇଥିଲେ । ସିସିଟିଭିରେ ଏହି ଘଟଣା କଏଦ ହେବା ପରେ ପୁରା ଘଟଣା ଚାଚଂଲ୍ୟ ଖେଳାଇ ଦେଇଥିଲା । ମୟୂରଭଂଜ ଜିଲ୍ଲା ତରୁଣ୍ଡେଇପସି ଗାଁର ଝରାଫୁଲ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ସ୍କୁଟରରେ ଆସି ୨ଜଣ ସନ୍ଦିଗ୍ଧ ଯୁବକ ମୁଳାପାଳ- ବ୍ରହ୍ମବରଦା ରାସ୍ତାର ଦିଆଲଖଣ୍ଡରେ ମୃତଦେହ ଫିଙ୍ଗି ଚାଲି ଯାଇଥିଲେ ।

କୌଣସି ଏକ କାମରେ ଭୁବନେଶ୍ୱର ଆସି ପୁଣି ଯଶୀପୁର ମରୁଣ୍ଡେଇପଶି ଗାଁକୁ ଫେରୁଥିଲେ ଝରାଫୁଲ । କିନ୍ତୁ ପେଟ ଖରାପ କହି, ବାଣିବିହାରରେ ଓହ୍ଲାଇପଡିଥିଲେ । ତାପରେ ତାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରିନଥିଲେ । ପରେ ରାତି ୧୨ଟାରେ ଭାଇଙ୍କୁ ଫୋନ କରି ଠିକ ଅଛନ୍ତି,ଏବଂ ସେମାନେ ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ । ବାଣିବିହାରରୁ ଓହ୍ଲାଇ ଝରାଫୁଲ କୁଆଡେ ଗଲେ, ସେ ବିଷୟରେ କେହି କିଛି ଜାଣି ନଥିଲେ । ତାପରେ କେବଳ ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା ।

ଏପଟେ ମୃତ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଜଣେ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଗାଁରେ ପାଣି ପାଇପ କାମ କରୁଥିବା ଜଣେ ଯୁବକ ରାକେଶ ସ୍ୱାଇଁଙ୍କ ସହ ଝରାଫୁଲଙ୍କ ପ୍ରେମ ସଂପର୍କ ଗଢିଉଠିଥିଲା । ପରିବାରର ବାରମ୍ବାର ବାରଣ ସତ୍ୱେ ସେ ତାଙ୍କ ସହ ଫୋନରେ କଥା ହେଉଥିଲେ ଏବଂ ଚାଟିଂ କରୁଥିଲେ । ଏପରିକି ଗତ ୨୪ ତାରିଖରେ ଝରାଫୁଲ ଭୁବନେଶ୍ୱର ଯାଇଥିବାବେଳେ ୨୫ ତାରିଖରେ ଜନ୍ମଦିନ ପାଳିଥିଲେ ଓ ରାକେଶ ତାଙ୍କ ସହ ଥିବାର ସେ ସନ୍ଦେହ କରିଛନ୍ତି । ତେଣୁ ଝରାଫୁଲଙ୍କ ମୃତ୍ୟୁରେ ରାକେଶଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରି ପୋଲିସକୁ ସେହି ଦିଗରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।