ବିଧାୟକଙ୍କୁ ବାହାହେବା ପାଇଁ ଘରେ ପହଚିଂଗଲେ ଯୁବତୀ : ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ଜୀବନସାଥୀ କରିବାକୁ କଲେ ଜିଦ୍

ଥାନାରେ ମାମଲା କଲେ ବିଧାୟକ, ଯୁବତୀଙ୍କୁ ଥାନାକୁ ଆଣି ଘରକୁ ପଠାଇଦେଲା ପୁଲିସ

678

କନକ ବ୍ୟୁରୋ : ‘ବିଧାୟକଙ୍କୁ ବାହା ହେବି। ବିବାହ ନ ସରିବା ପର୍ଯ୍ୟନ୍ତ ଏ ଘରୁ ଯିବିନି।’ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ବାସଭବନରେ ପଶି ଏମିତି ଦାବି କରିଛନ୍ତି ଜଣେ ଯୁବତୀ। ପରେ ଏଥିନେଇ ବିଧାୟକ ଥାନାରେ ଏତଲା ଦେବା ପରେ ପୁଲିସ ଯୁବତୀଙ୍କୁ ସେଠାରୁ ଆଣି ଘରକୁ ପଠାଇ ଦେଇଛି। ଏପଟେ ଏହି ଖବର ଜିଲ୍ଲା ରାଜନୀତିକୁ ପୁଣିଥରେ ସରଗରମ କରିଛି।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଂଚଳର ଜଣେ ଯୁବତୀ ଗତ ୨୫ ତାରିଖରେ ପାଳଲହଡ଼‌ା ବିଧାୟକ ମୁକେଶ ପାଳଙ୍କ ବାସଭବନକୁ ଆସି ତାଙ୍କୁ ବିବାହ କରିବା ପାଇଁ ଅଡ଼ିବସିଥିଲେ। ଏହି ସମୟରେ ବିଧାୟକ ଘରେ ନ ଥିଲେ। ଅଧରାତି ପର୍ଯ୍ୟନ୍ତ ବିଧାୟକଙ୍କ ଘରେ ହାଇପ୍ରୋଫାଇଲ ଡ୍ରାମା ଚାଲିଥିଲାବେଳେ ପାଳଲହଡ଼ା ପୁଲିସ ବିଧାୟକଙ୍କ ଘରକୁ ଯାଇ ରାତି ଗୋଟାଏ ବେଳକୁ ଯୁବତୀଙ୍କୁ ଥାନାକୁ ଆଣିଥିଲେ । ଥାନାକୁ ଆସିବା ପରେ ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ବିଧାୟକ ମୁକେଶ କୁମାର ପାଳଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଅଛି । ଏଥିନେଇ ତାଙ୍କ ମୋବାଇଲ ଫୋନ୍‌ରେ ପ୍ରମାଣ ମଧ୍ୟ ରହିଛି । ପୁଲିସ ଏହି ଅଭିଯୋଗକୁ ଗ୍ରହଣ କରିଛି । ପରେ ଯୁବତୀଜଣଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେ କେନ୍ଦୁଝରକୁ ପଠାଇ ଦିଆଯାଇଛି ।

ଅପରପକ୍ଷ୍ୟରେ ବିଧାୟକ ଥାନାରେ ଅଭିଯୋଗ କରିଛନ୍ତି, ‘ଏହି ଯୁବତୀଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡିଥିଲା । ସେ ବିଭିନ୍ନ ଚାପ ପକାଇ ମୋତେ ବିବାହ କରିବା ପାଇଁ ବାଧ୍ୟ କରିବା ସହ ମୋତେ ଧମକ ଦେଉଥିବା ବିଧାୟକ ଅଭିଯୋଗ କରିଛନ୍ତି । ’ ଅନୁଗୁଳ ଜିଲ୍ଲା ଓ ପାଲଲହଡ଼ା ଉପଖଣ୍ଡର ସରକାରୀ ଅଧିକାରୀଙ୍କୁ ମଧ୍ୟ ଫୋନ କରି ଏହି ବିବାହ କରାଇ ଦେବାକୁ ମଧ୍ୟ ଯୁବତୀ ଚାପ ପ୍ରୟୋଗ କରୁଥିବା ବିଧାୟକ ତାଙ୍କ ଏତଲାରେ ଜଣାଇଛନ୍ତି । ଏହି ଏତଲାକୁ ଭିତ୍ତି କରି ପା‌ଳଲହଡ଼ା ପୁଲିସ ୨୦/ ୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବିଧାୟକଙ୍କ ଘରେ ଏମିତି ରାତିଅଧିଆ ବିବାଦକୁ ନେଇ ଏବେ ପାଳଲହଡାରେ ନାନା ଚର୍ଚ୍ଚା ଚାଲିଛି । ଉଲ୍ଲେଖଯୋଗ୍ୟଯେ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପ୍ରେମିକା ବୋଲି ଜଣେ ଯୁବତୀ ଦାବି କରିଥିଲେ। ଏହାକୁ ନେଇ ତା‌ଳଚେରରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା ।