ରାତିରେ ଉପାସ ଶୋଇଥିଲେ ରାସ୍ତାକଡର ଅସହାୟ ମଣିଷ । ଦୁଃଖ ଦେଖି ରହିପାରିଲାନି କୁନି ପୁଅ । ଭୋକିଲାଙ୍କୁ ଖାଦ୍ୟ ଦେବାକୁ ଖୋଲିଦେଲା ରୁଟି ବ୍ୟାଙ୍କ୍ । ମହତ କାମ ଦେଖି ସାବାସୀ ଦେଲେ ମୋଦି ।

267

କନକ ବ୍ୟୁରୋ: ମୁଁ ଥାଉ ଥାଉ କେହି ରହିବେନି ଭୋକିଲା… ରାତିରେ ଉପାସ ଶୋଇବେନି ରାସ୍ତା କଡର ଅସହାୟ ମଣିଷ । ଫୁଟପାଥ ମଣିଷଙ୍କ ପେଟକଥା ବୁଝି ରୋଟି ବ୍ୟାଙ୍କ ଖୋଲିଛନ୍ତି କଟକର ଏହି କୁନି ପିଲା । ବୟସ ସିନା ୧୨ କିନ୍ତୁ ଚିନ୍ତାଧାରା ଭାରି ବଡ । ସେମିତି ନହୋଇଥିଲେ କଣ ବେସାହାରାଙ୍କ ଭୋକର ଜାତନା କଥା ଜାଣିପାରିଥାନ୍ତେ ଆଉ ନିଜ ପେଟରୁ କାଟି ସେମାନଙ୍କ ଖୁଆଇଥାନ୍ତେ । ହଁ ଗରିବ, ଦରିଦ୍ରଙ୍କ ଭୋକ ବୁଝି ସେମାନଙ୍କୁ ରୁଟି, ତରକାରୀ ଖୁଆଉଛନ୍ତି କଟକର ଅଭିଷେକ ସାହୁ ।

ତେବେ କଣ ଏହି ରୋଟି ବ୍ୟାଙ୍କ ? କାହିଁକି ଏମିତି କଲେ ଅଭିଷେକ? ଏହି ନିଆରା ଚିନ୍ତାଧାରା ନେଇ ଅଭିଷେକ କୁହନ୍ତି, ଦିନେ ରାତିରେ ବାପାଙ୍କ ସହ ଯାଉଥିବା ବେଳେ ଫୁଟପାଥର ଲୋକଙ୍କୁ ଦେଖିଥିଲେ ଆଉ ସେମାନଙ୍କ ସହ କଥା ହେବା ବେଳେ ଜାଣିଥିଲେ ଯେ ସେମାନେ ସମସ୍ତେ ଉପାସ ଶୋଇଛନ୍ତି । ବାସ୍ ସେଇଠୁ ହିଁ ସାହାଯ୍ୟ ପାଇଁ ସଙ୍କଳ୍ପ ନେଇଥିଲେ ଅଭିଷେକ । ଘରର ବଳକା ରୁଟିକୁ ଏକାଠି କରି ଭୋକିଲାଙ୍କୁ ଦେଇ ଆସୁଛନ୍ତି ।

ଟଙ୍କା ଜମା କରିବା ଭଳି ଗରିବଙ୍କ ପାଇଁ ରୁଟି ଜମା କରନ୍ତି ଅଭିଷେକ । ତେବେ କୁନି ପୁଅର ଏଭଳି ପରୋପକାର ମନୋବୃତି ଦେଖି ସାହି ପଡିଶା ବି ନିଜ ଘରର ବଳକା ରୁଟି ଆଣି ରୋଟି ବ୍ୟାଙ୍କରେ ଜମା କରନ୍ତି । ଆଉ ସେସବୁକୁ ନିଜ ସାଇକେଲରେ ନେଇ କଟକ ସହରର ଗଳିକନ୍ଦି, ଛକ ବଜାରରେ ଥିବା ଗରିବ ଲୋକଙ୍କୁ ଦିଅନ୍ତି ଅଭିଷେକ । ତେବେ ୮ମରେ ପଢୁଥିବା ଅଭିଷେକଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ସବୁଆଡୁ ପ୍ରଶଂସା ମିଳୁଥିବା ବେଳେ ଖୋଦ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଟ୍ୱିଟ୍ କରି କିପ୍ ଇଟ୍ ଅପ ବୋଲି କହିଛନ୍ତି । ଆଉ ମୋଦିଙ୍କ ସାବାସୀ ପରେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି ନିରାଶ୍ରୟୀଙ୍କ ଭୋକ ବୁଝୁଥିବା ସୁନାପିଲା ଅଭିଷେକ ।