ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ । ୩ ଦିନ ଧରି ନିସ୍ତୁକ ମାଡ଼ ମାରିବା ସହ ବିଦ୍ୟୁତ ଝଟକା ଦିଆଯାଇଥିବା ନେଇ ଅଭିଯୋଗ ଆଣିଲେ ଅଭିଭାବକ ।

136

କନକ ବ୍ୟୁରୋ : ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ । କଅଁଳା ପିଲାଙ୍କୁ ଇଲେକ୍ଟ୍ରିକ ଶକ୍ ଦେଲେ ପୁଲିସ ବାବୁ । ଏପରି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାରୁ । ଥାନାର ଜଣେ ପୁଲିସ କର୍ମଚାରୀଙ୍କ ଘରେ ଚୋରି ହୋଇଥିବାରୁ ୪ ଜଣ ନାବାଳକଙ୍କୁ ଥାନାକୁ ଆଣି, ୩ ଦିନ ଧରି ନିସ୍ତୁକ ମାଡ ମରା ଯାଇଥିବା ନେଇ ଚାଇଲ୍ଡ ଲାଇନ ନିକଟରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଏପରି କିଛି ଘଟଣା ଘଟିଥିବା ନେଇ ସଫା ମନା କରିଦେଇଛନ୍ତି ଥାନା ଅଧିକାରୀ ।

ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ! ହାଜତ ଭିତରେ ଇଲେକ୍ଟ୍ରିକ୍ ସକ୍ ! ଦିନେ ନୁହଁ କି ଦୁଇ ଦିନ ନୁହଁ, ତିନି ଦିନ ଧରି ୪ କଅଁଳା ପିଲାଙ୍କୁ ଥାନାରେ ଅଟକ ରଖି ନିସ୍ତୁକ ମାଡ ମାରିଛି ପୁଲିସ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ଅଭିଯୁକ୍ତ ଓ ସେମାନଙ୍କ ପରିବାର । କାହାର ହାତ ଫୁଲିଛି, ତ ଆଉ କାହର ଗୋଡ.. ଠିକ ଭାବେ ଚାଲି ପାରୁନାହାନ୍ତି ଏମାନେ । ଆଉ କୌଣସି ପେଶାଦାର ଅପରାଧୀ ପରି କୋର୍ଟରେ ମଧ୍ୟ ହାଜର ହୋଇଛନ୍ତି ୪ କୁନି କୁନି ପିଲା ।

ଅଭିଯୋଗ ଅନୁସାରେ, ଗତ ୧୨ ତାରିଖରେ ଚିତ୍ରକୋଣ୍ଡା ଥାନାର ଜଣେ ହୋମ ଗାର୍ଡଙ୍କ ଘରୁ କିଛି ସୁନା ଗହଣା ଓ ୧୦ ହଜାର ଟଙ୍କା ଚୋରି ହୋଇଥିଲା । ଆଉ ଥାନା କର୍ମଚାରୀଙ୍କ ଘରୁ ଚୋରୀ ଅଭିଯୋଗରେ ଜଣେ ଅନାଥ ପିଲାଙ୍କ ସହ ୪ ନାବାଳକଙ୍କୁ ଉଠାଇ ଆଣିଥିଲା ଚିତ୍ରକୋଣ୍ଡା ପୁଲିସ । ଆଉ ୩ ଦିନ ଧରି ପିଲାଙ୍କୁ ମାଡ ମରାଯାଇଛି । କେବଳ ଏତିକି ନୁହେଁ ପୁଲିସ କର୍ମଚାରୀଙ୍କ ସହ ବାହାର ଲୋକେ ମଧ୍ୟ ଥାନାରେ ପଶି ମାଡ ମାରିଥିବା ନେଇ ଚାଇଲ୍ଡ ଲାଇନରେ ଅଭିଯୋଗ ହେବା ପରେ ଶିଶୁ ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ୪ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଛି, ଏବଂ ସେମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ବୋର୍ଡ । ତେବେ ଥାନା ଭିତରେ ନାବାଳକଙ୍କୁ କୌଣସି ପ୍ରକାର ଶାରୀରିକ ନିର୍ଯ୍ୟାତନା ଦିଆନଯାଇଥିବା କହିଛନ୍ତି ଚିତ୍ରକୋଣ୍ଡା ଥାନା ଅଧିକାରୀ ।

ଗୁୁରୁତ୍ୱପୁର୍ଣ କଥା ହେଇଛି ଥାନାରେ ଥାର୍ଡ ଡିଗ୍ରୀ କିମ୍ବା ମାଡ ମାରିବାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଛି ମାନବାଧିକାର କମିଶନ । ତେବେ କଁଅଳ ପିଲାଙ୍କୁ ମାଡ ମରା ଓ ବିଦ୍ୟୁତ ଆଘାତ ଦେବା ଘଟଣା ଯଦି ସତ ହୁଏ, ତେବେ ସାଂଘାତିକ ।