ରୋହିତ ଶର୍ମା ହୋଇପାରନ୍ତି ଟିମ୍ ଇଣ୍ଡିଆର ନୂଆ ଟି-୨୦ କ୍ୟାପଟେନ, ଖୁବଶୀଘ୍ର ହୋଇପାରେ ଘୋଷଣା ।

230

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହେବା ପରେ ଏବେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲ ରାସ୍ତା ଆଉ ସହଜ ହୋଇନାହିଁ । ଏଭଳି ସ୍ଥଳେ ଅନ୍ୟ ମ୍ୟାଚର ଫଳାଫଳ ଉପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଟିକେଟ ନିର୍ଭର କରିବ । ତେବେ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଆସନ୍ତା ସପ୍ତାହରେ ଟିମ୍ ଘୋଷଣା କରାଯିବ । ତେବେ ଟିମ୍ ଚୟନ ଠାରୁ ଟିମର ଅଧିନାୟକ କିଏ ହେବ ତାହାକୁ ଚୟନକର୍ତ୍ତାଙ୍କ ଚିନ୍ତା ବଢିଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ କିଏ ଦଳର ମଙ୍ଗ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡିବାକୁ ପୂର୍ବରୁ କ୍ୟାପଟେନ କୋହଲି ଘୋଷଣା କରି ସାରିଛନ୍ତି । କେବଳ ଟି-୨୦ ଭଳି ଫଟାଫଟ ଫର୍ମାଟର ଅଧିନାୟକ ପଦ ଛାଡିବାକୁ କୋହଲି ଘୋଷଣା କରିଥିଲେ । ତେବେ କୋହଲିଙ୍କ ପରେ ଦଳର ନୂଆ କ୍ୟାପଟେନ କିଏ ହେବ? ନ୍ୟୁଜିଲାଣ୍ଡ ବିପକ୍ଷ କେଉଁ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଚର୍ଚ୍ଚା ଅନୁଯାୟୀ, ଏବେ ଭାରତୀୟ ଦଳର ଉପ-ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ଏହି ଗୁରୁଦାୟିତ୍ୱ ମିଳିପାରେ । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଟିମର ସିନିୟର ଖେଳାଳୀଙ୍କୁ ଆରାମ ଦିଆଯାଇପାରେ । କାରଣ ଗତ ଏପ୍ରିଲରୁ ଲଗାତାର ବାୟୋ ବବଲରେ ରହିବା ସହ କ୍ରିକେଟ ଖେଳୁଛନ୍ତି ଭାରତୀୟ କ୍ରିକେଟର । ତେଣୁ ଯଦି ସିନିୟର ଖେଳାଳୀଙ୍କୁ ବିଶ୍ର୍ରାମ ଦିଆଯିବ ତେବେ କାମଚଳା ଅଧିନାୟକ ଭାବେ କେଏଲ ରାହୁଲଙ୍କୁ କିଛି ଦିନ ପାଇଁ ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବାକୁ ପଡିପାରେ । ଆଉ ରାହୁଲ ମଧ୍ୟ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ରହିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ନଭେମ୍ବର ୧୭, ୧୯ ଓ ୨୧ରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଆଉ କରୋନା କାଳରେ ପ୍ରଥମଥର ପାଇଁ କଟକଣା ସହ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଅନୁମତି ମିଳିବ । ସେହିଭଳି ୨୫ ନଭେମ୍ବରରେ ପ୍ରଥମ ଟେଷ୍ଟ ଓ ୩ ଡିସେମ୍ବରରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ ।

ଅନ୍ୟପଟେ କେବଳ ଟି-୨୦ ନୁହେଁ ବରଂ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ କୋହଲିଙ୍କ ହାତରୁ ଯାଇପାରେ । ଉଭୟ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ଜଣେ ରୁହନ୍ତୁ ବୋଲି ବୋର୍ଡ ଚାହୁଁଥିବା ଚର୍ଚ୍ଚା ହେଉଛି । ଧଳା ବଲ ମ୍ୟାଚ୍ ପାଇଁ ଜଣେ କ୍ୟାପଟେନ ଓ ଲାଲ ବଲ ମ୍ୟାଚ୍ ପାଇଁ ଆଉ ଜଣେ କ୍ୟାପଟେନ ଟିମ୍ ଇଣ୍ଡିଆର ମଙ୍ଗ ଧରନ୍ତୁ ବୋଲି ବୋର୍ଡ ଚାହୁଁଥିବା କୁହାଯାଉଛି । ବିରାଟଙ୍କ ଅଧିନାୟକତ୍ୱରେ ଭାରତ ଏଯାଏଁ ଟ୍ରଫି ଜିତିପାରିନାହିଁ । ଅନ୍ୟପଟେ ଆଗକୁ ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ, ଭାରତରେ ଦିନିକିଆ ବିଶ୍ୱକପ ହେବାକୁ ଯାଉଛି । ତେଣୁ ଅଲଗା ଅଲଗା କ୍ୟାପଟେନଙ୍କୁ ନେଇ ଆଗକୁ ବଢିବା ମୁଡରେ ନାହିଁ ବୋର୍ଡ । ତେଣୁ ଉଭୟ ଦିନିକିଆ ଓ ଟି-୨୦ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ବୋର୍ଡ ଏମିତି ଜଣେ ଅଧିନାୟକଙ୍କୁ ଆଣିବାକୁ ଚାହୁଁଛି ଯିଏ ଦଳକୁ ଟାଇଟଲ ବିଜୟୀ କରିପାରିବ । କାରଣ ୨୦୧୩ ପରଠାରୁ ଏଯାବତ୍ ଭାରତ କୌଣସି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇନାହିଁ । ତେଣୁ ବୋର୍ଡର ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କର ନଜର ରହିଛି ।