ଇନଷ୍ଟାଗ୍ରାମ ଛାଡି ମୈଦାନରେ କ୍ରିକେଟ ଖେଳୁ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଠାରୁ ଭାରତ ପରାଜୟ ପରେ ଟ୍ରୋଲ କଲେ ପାକିସ୍ତାନର ପୂର୍ବତ୍ତନ କ୍ରିକେଟର୍ ‘ଅଖତର’

186

କନକ ବ୍ୟୁରୋ : ଟି-୨୦ ବିଶ୍ୱକପରେ ଭାରତକ ଖରାପ ପ୍ରଦର୍ଶନକୁ ନେଇ ସମସ୍ତେ ନିରାଶ । ପ୍ରଥମେ ପାକିସ୍ତାନ ଠାରୁ ପରାଜୟ ହେବା ପରେ ଗତ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ବି ନିରାଶ କରିଛି ଭାରତ । ଯାହାକୁ ନେଇ ପୁଣି ଟ୍ରୋଲ କରିଛନ୍ତି ପାକିସ୍ତାନର ପୂର୍ବତ୍ତନ ପେସ୍ ବୋଲର ସୋଏବ୍ ଅଖତର ।
ସୋଏବ୍ ଅଖତର ତାଙ୍କ ନିଜ ୟୁଟୁବ୍ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଟିମର କୌଣସି ଗେମ୍ ପ୍ଲାନ୍ ନଥିଲା । ଖେଳ ଦେଖି ଏପରି ଲାଗୁନଥିଲା କି, ଭାରତୀୟ ଟିମ୍ ଆଜି ଖେଳିବା ପାଇଁ ମୈଦାନକୁ ଓହ୍ଲାଇଛନ୍ତି । ଏପରି ଲାଗୁଥିଲା, ଖାଲି ନ୍ୟୁଜିଲାଣ୍ଡ ହିଁ ଖେଳିବା ପାଇଁ ଆସିଛନ୍ତି । ଭାରତ ପାଖରେ ମୋର ଗୋଟିଏ ଅନୁରୋଧ, ଭାରତୀୟ ଟିମ୍ ଇନଷ୍ଟାଗ୍ରାମରେ ଖେଳିବା ଛାଡି ମୈଦାନରେ କ୍ରିକେଟ୍ ଖେଳୁ ।


କେବଳ ଏତିକି ନୁହେଁ ଭାରତୀୟ ଦଳର ଗେମ୍ ପ୍ଲାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୋଏବ୍ ଅଖତର । ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ବୁଝିପାରିଲିନି ଭାରତୀୟ ଟିମ୍ କେଉଁ ରଣନୀତି ନେଇ ମୈଦାନକୁ ଓହ୍ଲାଇଥିଲା । କେଏଲ୍ ରାହୁଲ ଏବଂ ରୋହିତ ଶର୍ମାଙ୍କ ବଦଳରେ ଇଶାନ୍ କିଶାନକୁ ଓପନିଂରେ ପଠାଗଲା । ତୃତୀୟ ନମ୍ବରେ ରୋହିତଙ୍କୁ ପଠାଗଲା । ହାର୍ଦ୍ଦିକ୍ ପାଣ୍ଡିଆଙ୍କୁ ପ୍ରଥମରୁ ବୋଲିଂ ଦିଆନଯାଇ ମ୍ୟାଚ୍ ଅଧାରୁ ବୋଲିଂ କରିବା ପାଇଁ କାହିଁକି ଦିଆଗଲା । ଭାରତର ଏଭଳି ଗେମ୍ ପ୍ଲାନ୍ ମତେ ବୁଝା ପଡିଲାନି ।
ଏହା ପୂର୍ବରୁ ମଧ୍ୟ ସୋଏବ ଅଖତର ଭାରତ ଉପରେ ଆଙ୍ଗୁଠି ଉଠାଇଥିଲେ । ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ୍ ନ୍ୟୁଜିଲାଣ୍ଡକୁ ହରାଇବା ପରେ ବିବାଦୀୟ ବୟାନ ରଖିଥିଲେ ସୋଏବ୍ । କହିଥିଲେ, ନ୍ୟୁଜିଲାଣ୍ଡକୁ ହରାଇ ଆମେ ଭାରତକୁ ବଞ୍ଚାଇ ଦେଇଛୁ ।