ବୋରିସ ଜନସନ ସରକାରର ଦୁଇ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା : ଅର୍ଥମନ୍ତ୍ରୀ ରିଷି ସୁନକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାଭିଦ ଅସନ୍ତୋଷ ଜାହିର କରି ଦେଲେ ଇସ୍ତଫା

109

କନକ ବ୍ୟୁରୋ : ବ୍ରିଟେନର ବୋରିସ୍ ଜନସନ ସରକାରରୁ ଦୁଇ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ରିଷି ସୁନକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ୍ ଜାଭିଦ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସରକାରରୁ ଇସ୍ତଫା ଦେଇଛନ୍ତି । ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନକ ଏବଂ ସ୍ୱାସ୍ଥ୍ୟ ସଚିବ ସାଜିଦ ଜାଭିଦ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ବିଶ୍ୱାସ କରୁନାହାନ୍ତି ବୋଲି କହି ଇସ୍ତଫା ଦେଇଛନ୍ତି । ନିକଟରେ ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରି ପାସ୍ ହୋଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସରକାରକୁ ପୁଣି ଥରେ ଅଡୁଆ ସାମ୍ନା କରିପାରନ୍ତି ବୋଲି କୁହାଯାଉଛିି ।

ଜାଭିଦ ନିଜ ଇସ୍ତଫା ପତ୍ରରେ କହିଛନ୍ତି, ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଜନସନଙ୍କ ଶାସନ କ୍ଷମତା ଉପରେ ଅନେକ ସାଂସଦ ଓ ଜନସାଧାରଣ ଆସ୍ଥା ହରାଇଛନ୍ତି । ତେଣୁ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି । ସେହିପରି ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନକ ନିଜ ଇସ୍ତଫା ପତ୍ରରେ କହିଛନ୍ତି, ସରକାର ଠିକ୍ କାମ କରିବେ ବୋଲି ଲୋକେ ଆଶା କରୁଛନ୍ତି । ଏହା ଦକ୍ଷତାର ସହ ଏବଂ ଗମ୍ଭୀରତାର ସହ କାମ କରିବ । ମୋର ବିଶ୍ୱାସ ଏହା ମୋର ଶେଷ ମନ୍ତ୍ରୀ ପଦ ହୋଇପାରେ । କିନ୍ତୁ ଏହିସବୁ ମାପଦଣ୍ଡ ପାଇଁ ଲଢ଼ିବା ଯଥାର୍ଥ ଏବଂ ସେଥିପାଇଁ ସେ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି ।