ବିଶ୍ୱର ଚିନ୍ତା ବଢାଇଲା ଓମିକ୍ରନ । କଟକଣା କଡାକଡି ହେଲା, ଆଫ୍ରିକାର ବିମାନ ଦେଶକୁ ବନ୍ଦ ହେଲା ବିମାନସେବା ।

128

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ପରେ ବ୍ରିଟେନ, ଜର୍ମାନୀ ଓ ଇଟାଲିରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ବିଶ୍ୱ ସମୁଦାୟଙ୍କ ଚିନ୍ତା ବଢାଇ ଦେଇଛି । ବ୍ରିଟେନ ଓ ଜର୍ମାନୀରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଇଟାଲିରେ ଜଣେ ଓମିକ୍ରମ ଭାରିଆଂଟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଆଂଟକୁ ଉଦବେଗଜନ ଶ୍ରେଣୀରେ ରଖିବା ପରେ ବିଭିନ୍ନ ଦେଶରେ ସତର୍କ ସୂଚନା ଜାରି କରାଯାଉଛି । ମହାମାରୀର ଦୁଇ ବର୍ଷ ପରେ ଅଂଟା ସଳଖୁଥିବା ବିଶ୍ୱ ସମୁଦାୟ କରୋନାର ନୂଆ ଷ୍ଟ୍ରେନକୁ ନେଇ ପୁଣି ପ୍ରମାଦ ଗଣିବା ଆରମ୍ଭ କଲେଣି ।

ଆମେରିକା ଏହି ନୂଆ ଭାରିଆଣ୍ଟକୁ ନେଇ ଉଦବେଗ ପ୍ରକାଶ କରିଛି । ନ୍ୟୁୟର୍କ ଗଭର୍ଣ୍ଣର କେଥୀ ହୋକୁଲ ଏନେଇ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଜ୍ୟରେ ବିପର୍ଯ୍ୟୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସେହିପରି ଆଫ୍ରିକାର ୮ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା । ସେପଟେ ବ୍ରିଟେନରେ ବିଦେଶ ଫେରନ୍ତା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।

ଅଷ୍ଟ୍ରେଲିଆ ଆଫ୍ରିକାର ୮ଟି ଦେଶକୁ ଉଡାଣ ବାତିଲ କରିଛି । ତେବେ ଆଫ୍ରିକାର ଦକ୍ଷିଣାଂଚଳର ୯ଟି ଦେଶରୁ ରହୁଥିବା ଅଷ୍ଟ୍ରେଲିଆ ନାଗରିକ ଦେଶକୁ ଫେରିଲେ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି । ପଡୋଶୀ ରାଷ୍ଟ୍ର ପାକିସ୍ତାନ ମଧ୍ୟ ଆଫ୍ରିକାର ୬ଟି ଦେଶ ଓ ହଂକଂକୁ ବିମାନ ଉଡାଣ ବାତିଲ କରିଛି । ବାଂଲାଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ସେବା ବାତିଲ କରିଥିବା ସୂଚନା ମିଳିଛି ।

ଦକ୍ଷିଣକୋରିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଓମାନ, ହଙ୍ଗେରୀ ଭଳି ରାଷ୍ଟ୍ର ମଧ୍ୟ ଆଫ୍ରିକାକୁ ଯାଉଥିବା ବିମାନ ସେବା ଉପରେ କଟକଣା ଜାରି କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଆଂଟ ଏବେ ବେଲଜିୟମ, ଇସ୍ରାଏଲ, ହଂକଂ, ବ୍ରିଟେନ, ଜର୍ମାନୀ, ଇଟାଲିକୁ ମାଡି ଗଲାଣି । ତେଣୁ ଡେଲଟା ଭୁତାଣୁ ଭଳି ଓମିକ୍ରାନ ଭାରିଆଂଟ ମଧ୍ୟ ବଡ ବିପର୍ଯ୍ୟୟ ଆଣିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।