ଭୁବନେଶ୍ୱର ସ୍କୁଲ ଗୁଡିକ ପାଠପଢା ପାଇଁ ଅନୁପଯୋଗୀ । ୭୫ ପ୍ରତିଶତ ବିଦ୍ୟାଳୟରେ ଇଣ୍ଟରନେଟ ସେବା ନଥିବାରୁ ଆପଣାଇ ପାରିନାହାନ୍ତି ଅନଲାଇନ ଶିକ୍ଷା ।

113

କନକ ବ୍ୟୁରୋ : ଓଡିଶାର ରାଜଧାନୀର ସ୍କୁଲଗୁଡିକ ପାଠ ପଢା ପାଇଁ ଅନୁପଯୋଗୀ । ଏହି ଉଦବେଗଜନକ ଖବର ପଦାକୁ ଆଣିଛି ନୀତି ଆୟୋଗର ସସଟେନଏବୁଲ ଡେଭଲପମେଂଟ ଗୋଲ ବା ନିରନ୍ତର ବିକାଶ ଲକ୍ଷ୍ୟ ରିପୋର୍ଟ । ନୀତି ଆୟୋଗର ରିପୋର୍ଟ ଅନୁସାରେ ଅଧିକାଂଶ ସ୍କୁଲର ଭିତ୍ତିଭୂମି ଅସଜଡା । ବିଜୁଳି ସଂଯୋଗ, ପିଇବା ପାଣିର ସୁବିଧା ଭଳି ମୌଳିକ ସୁବିଧା ବହୁ ସ୍କୁଲରେ ନାହିଁ । ରାଜଧାନୀର ୨୦ ପ୍ରତିଶତ ସ୍କୁଲରେ ଏବେ ବି  ବିଦ୍ୟୁତ ସଂଯୋଗ ନଥିବା ବେଳେ ସବୁ ସ୍କୁଲରେ ପିଇବା ପାଣିର ସୁବିଧା ନାହିଁ । ସେହିପରି ଭୁବନେଶ୍ୱରରେ ପ୍ରାୟ ୭୫ ପ୍ରତିଶତ ସ୍କୁଲରେ ଇଂଟରନେଟ ସୁବିଧା ନଥିବାରୁ ଅନଲାଇନ୍ ଶିକ୍ଷା ବାଧାପ୍ରାପ୍ତ ହୋଇଛି ।

ସମଗ୍ର ଦେଶରେ ବିଦ୍ୟାଳୟଗୁଡିକରେ ଇଂଟରନେଟ ସେବା ଯୋଗାଇବାରେ ଉତରପ୍ରଦେଶ ଆଗ୍ରା ବିଫଳ ତାଲିକାର ଶୀର୍ଷରେ ଥିବା ବେଳେ କୋଲକାତା ଦ୍ୱିତୀୟ ଓ ତୃତୀୟରେ ରହିଛି ଭୁବନେଶ୍ୱର । ଏହାଛଡା ସ୍ମାର୍ଟସିଟି ଭୁବନେଶ୍ୱରରେ ନବମ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇବା ପାଇଁ ଛାତ୍ରଙ୍କ ତୁଳନାରେ ଶିକ୍ଷକଙ୍କ ଅନୁପାତ ମଧ୍ୟ ନୈରାଶ୍ୟଜନକ । ପ୍ରତି ୨୩ଜଣ ପିଲାଙ୍କୁ ଜଣେ ଶିକ୍ଷକ ପାଠ ପଢାଉଥିବା ନୀତି ଆୟୋଗର ଏସଡିଜି ରିପୋର୍ଟରେ ପ୍ରକାଶ ପାଇଛି ।

ସେହିଭଳି ମାଧ୍ୟମିକ ଶିକ୍ଷାରେ ପଢୁଥିବା ପିଲାଙ୍କୁ ପାଠ ପଢାଉଥିବା ୮୩.୯୭ ପ୍ରତିଶତ ଶିକ୍ଷକ ତାଲିମପ୍ରାପ୍ତ ଅର୍ଥାତ୍ ପଢାଇବାକୁ ଯୋଗ୍ୟ ବୋଲି ଏସଡିଜି ସୂଚକାଙ୍କରେ ଉଲ୍ଲେଖ ରହିଛି । ବିଦ୍ୟାଳୟରେ ଶିକ୍ଷା ପଦ୍ଧତିର ୮ଟି ଦିଗକୁ ନେଇ ଦେଶର ବଛା ବଛା ୫୬ଟି ସହରକୁ ନେଇ ନୀତି ଆୟୋଗ ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା । ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ ରିପୋର୍ଟରେ ଭୁବନେଶ୍ୱରର ବିଦ୍ୟାଳୟଗୁଡିକୁ ମୋଟ ଶହେ ମାର୍କରୁ ୫୦ ମାର୍କ ମିଳିଛି ।