ଗଞ୍ଜାମରେ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ମନା । କେବଳ ସୀମିତ ପୂଜକଙ୍କୁ ନେଇ ହେବ ରୀତିନୀତି । ମେ ୧୫ ଯାଏଁ ଗଞ୍ଜାମବାସୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନ ନିଷେଧ ।

113

କନକ ବ୍ୟୁରୋ: ଗଞ୍ଜାମରେ ଧର୍ମାନୁଷ୍ଠାନକୁ ଯିବାକୁ ଲାଗିଲା କଟକଣା । କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଧର୍ମୀୟ ପୀଠରେ ପ୍ରବେଶ ନିଷେଧ କରାଯାଇଛି । କେବଳ ମନ୍ଦିରର ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସେବା କରିପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଅନ୍ୟପଟେ କାଲିଠୁ ମେ ୧୫ ତାରିଖ ଯାଏଁ ସାଧାରଣ ଲୋକ ଜନଗହଳି ପୂଣ୍ଣ ଅଂଚଳ ଯେପରିକି ଧର୍ମୀୟ ଅନୁଷ୍ଠାନ, ପାର୍କ, ସମୁଦ୍ର କୂଳ, ଖେଳ ପଡିଆ ଓ ହ୍ରଦ ଆଦି ସ୍ଥାନକୁ ପ୍ରବେଶ ନିଷେଧ କରାଯାଇଛି । ଗତକାଲି ଭୁବନେଶ୍ୱର ଓ କଟକରେ ମଧ୍ୟ ମନ୍ଦିର ଓ ଧର୍ମାନୁଷ୍ଠାନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଟୁଇନ ସିଟିରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ମନା କରାଯାଇଥିଲା । ଆଜି ଶ୍ରୀରାମ ନବମୀରେ ବି ଟୁଇନ ସିଟିର ସମସ୍ତ ରାମ ମନ୍ଦିର ଫାଙ୍କା ରହିଥିଲା ।